ବିଜେଡିରେ ମିଶିଲେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

ଭୁବନେଶ୍ବର: କେନ୍ଦ୍ରାପଡ଼ାରେ ବଢ଼ିଲା ବିଜେଡିର ବଳ । କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ଅଂଶୁମାନ ମହାନ୍ତି । ପୂର୍ବରୁ କଂଗ୍ରେସ ଟିକେଟରେ ରାଜନଗରରୁ ବିଧାୟକ ରହି ସାରିଛନ୍ତି । ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ଦୁଇଦିନ ତଳେ କଂଗ୍ରେସ ଛାଡ଼ିଥିଲେ । ଆଜି ଶହ ଶହ ସମର୍ଥକଙ୍କ ସହ ଅଂଶୁମାନ ଏକ ବିରାଟ ରାଲିରେ ଶଙ୍ଖ ଭବନରେ ପହଞ୍ଚିଥିଲେ । ଏହାପରେ ସାଂସଦ ମାନସ ମଙ୍ଗରାଜ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଶକ୍ତିମନ୍ତ୍ରୀ ପ୍ରତାପ ଦେବ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ଯସାଚୀ ନାୟକ, ବିଧାୟକ ପ୍ରତାପ ଜେନା, ବିଧାୟକ ଧୃବଚରଣ ସାହୁ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ । ଅଂଶୁମାନ ଏବଂ ତାଙ୍କ ସମର୍ଥକଙ୍କୁ ବିଜେଡିରେ ସ୍ବାଗତ କରିଥିଲେ ସାଂସଦ ମାନସ ମଙ୍ଗରାଜ ।

ବିଜେଡିରେ ସାମିଲ ହେବା ନେଇ ଅଂଶୁମାନ କହିଛନ୍ତି, ‘ଆଜି ମୋ ପାଇଁ ଏକ ସୌଭାଗ୍ୟର ଦିନ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ମୁଁ ବିଜେଡିରେ ମିଶିଲେ । ତାଙ୍କ ସ୍ୱଚ୍ଛ, ନିର୍ମଳ ଓ ବିକାଶ ଧାରାରେ ମୁଁ ଅନୁପ୍ରାଣିତ ହୋଇ ରାଜନଗର ପରିବାର ସହ ବିଜେଡିରେ ସାମିଲ ହୋଇଛି । ରାଜନଗରର ବିକାଶ ଧାରାକୁ ଆଗେଇ ନେବା ସହ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବାକୁ କାମ କରିବି ।’ ବିଜେଡିରେ ମିଶିବାର ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଂଶୁମାନ ।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ‘ଅଂଶୁମାନଙ୍କ ପରିବାର ସହ ସମସ୍ତଙ୍କ ପୁରୁଣା ସମ୍ପର୍କ ଥିଲା । ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଏହା କହିଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ କଲେ । ଓଡ଼ିଶା ଯେପରି ସମୃଦ୍ଧ ହେଉଛି ଓ ରାଜନଗରର ଯେଉଁ ବିକାଶ ହୋଇଛି ତାହା ବିଧାୟକ ଧ୍ରୁବ ସାହୁ ଏବଂ ଅଂଶୁମାନ ଆଗକୁ ବଢ଼ାଇବେ । ନଳିନୀ ବାବୁଙ୍କର ବିଜୁ ପଟ୍ଟନାୟକଙ୍କ ସହ ସମ୍ପର୍କ ନିବିଡ଼ ଥିଲା । ସେ ୭ ଥର ବିଧାୟକ ଥିଲେ । ବିଜେଡି ଉପରେ ଯେଉଁମାନେ ଆସ୍ଥା ରଖି ଆସିଛନ୍ତି, ସମସ୍ତଙ୍କ ସମ୍ମାନ ଅତୁଟ ରହିବ ବୋଲି ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ।’

ବିଜେଡି ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ‘ଆଜି ବିଜେଡିରେ ଯୋଗଦାନ କରିଛନ୍ତି ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି । ଦୁଇ ଦିନ ତଳେ ସେ କଂଗ୍ରେସ ଛାଡ଼ିଥିଲେ । ବିଜେଡିରେ ମିଶିବାକୁ ସେ କରିଥିବା ଆବେଦନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଅଂଶୁମାନଙ୍କ ସହ ହଜାରେରୁ ଊର୍ଦ୍ଧ୍ବ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ମୁଖ୍ୟତଃ ରାଜନଗର କଂଗ୍ରେସର ବିଭିନ୍ନ ପଦବୀରେ ଥିବା ନେତା ଓ ପଂଚାୟତ ପ୍ରତିନିଧି ଅଛନ୍ତି ।’

ସମସ୍ତଙ୍କୁ ଦଳରେ ସ୍ୱାଗତ । ମୋର ବିଶ୍ୱାସ, ବିଜେଡି ଆହିରି ମଜବୁତ ହେବା ସହ ରାଜନଗର ବିକାଶ ଆହୁରି ତ୍ୱରାନ୍ୱିତ ହେବ ବୋଲି କେନ୍ଦ୍ରାପଡ଼ା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା କହିଛନ୍ତି । ଧ୍ରୁବ ଓ ଅଂଶୁମାନ ମିଶି ଏହା କରିବେ । ଅଂଶୁମାନଙ୍କ ପରିବାର ବିଜୁ ପରିବାର ସହ ଘନିଷ୍ଠ ଥିଲେ । ଆଜି ଅଂଶୁମାନଙ୍କ ପ୍ରତ୍ୟାବର୍ତନ ହୋଇଛି । ସମସ୍ତେ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବେ ବୋଲି ସେ କହିଛନ୍ତି ।

ସେହିପରି ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଅଂଶୁମାନ ଓ ତାଙ୍କ ସମର୍ଥକଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଜି ଗୌରବର ଦିନ । ବିଜୁ ବାବୁଙ୍କ ସ୍ୱପ୍ନ ଓ ରାଜନଗର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ସହ ଆଉ ଏକ ଫର୍ଦ୍ଦ ଯୋଡ଼ି ହେଲା । କେନ୍ଦ୍ରାପଡ଼ା ବିକାଶକୁ ଏହା ଆହୁରି ତ୍ବରିତ କରିଛି ବୋଲି ସେ କହିଛନ୍ତି ।

ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ‘ନଳିନୀ ଭାଇ ବିଜୁ ବାବୁ ଓ ବିଜୁ ପରିବାର ସହ ଥିଲେ । ଅଂଶୁମାନ ଓ ତାଙ୍କ ସମର୍ଥକ ମିଶିବାରୁ ରାଜନଗର ସଂଗଠନ ଆହୁରି ସୁଦୃଢ ହେଲା । ବିକାଶ କାର୍ଯ୍ୟ ଆହୁରି ଆଗେଇବ ।’