ଚିନ୍ତନ ଶିବିର ବେଳେ ଚିନ୍ତା ବଢ଼ାଇଲେ ସୁନୀଲ ଝାକର, କଂଗ୍ରେସକୁ ଗୁଡବାଏ କଲେ ପୂର୍ବତନ ପଞ୍ଜାବ ପିସିସି ମୁଖ୍ୟ

ଉଦୟପୁର: ଉଦୟପୁରରେ କଂଗ୍ରେସର ନବ ସଂକଳ୍ପ ଚିନ୍ତନ ଶିବିର ଚାଲିଥିବା ବେଳେ ଦଳରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ସୁନୀଲ ଝାକର । ଅତି ନାଟକୀୟ ଭାବେ ଦଳରୁ ଇସ୍ତଫା ଦେଇଛନ୍ତି ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ମୁଖ୍ୟ । ମନ କି ବାତ୍ ଶୀର୍ଷକ ଫେସବୁକ୍ ଲାଇଭ ଷ୍ଟ୍ରିମରେ କଂଗ୍ରେସକୁ ଗୁଡବାୟ କହିଛନ୍ତି ସୁନୀଲ ଝାକର । କଂଗ୍ରେସର ଶୃଙ୍ଖଳା କମିଟି ଦ୍ୱାରା ଭର୍ସିତ ହେଲା ପରେ ଏଭଳି ପଦକ୍ଷେପ ନେଇଛନ୍ତି ସୁନୀଲ ଝାକର । ତିନି ତିନି ଥର ବିଧାୟକ ଓ ଥରେ ସାଂସଦ ରହି ଆସିଛନ୍ତି ସୁନୀଲ ଝାକର ।

ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ଆସିବା ପରେ ଦଳୀୟ ପଦପଦବୀରୁ ଝାକରଙ୍କୁ ଅବ୍ୟାହତି ଦିଆଯାଇଥିଲା । ପଞ୍ଜାବ କଂଗ୍ରେସର କିଛି ନେତା ଝାକରଙ୍କ ବିରୋଧରେ ଦଳବିରୋଧୀ କାର୍ଯ୍ୟକଳାପର ଅଭିଯୋଗ ଆଣିଥିଲେ । ଏଥିପାଇଁ ବରିଷ୍ଠ କଂଗ୍ରେସ ନେତ୍ରୀ ଅମ୍ବିକା ସୋନିଙ୍କୁ ଦାୟୀ କରିଛନ୍ତି ସୁନୀଲ ଝାକର । ପଞ୍ଜାବ ବିଧାନସଭା ନିର୍ବାଚନ ବେଳେ ଅମ୍ବିକା ସୋନି ଦଳର କେହି ହିନ୍ଦୁ ନେତା ମୁଖ୍ୟମନ୍ତ୍ରୀ ହେବା ଚାହୁଁ ନ ଥିଲେ ବୋଲି ଅଭିଯୋଗ କରିଛନ୍ତି ଝାକର । ଉଦୟପୁରରେ ଚାଲିଥିବା ଚିନ୍ତନ ଶିବିର ଏକ ପ୍ରହସନ ବୋଲି ଝାକର କହିଛନ୍ତି ।

ଉଦୟପୁରରେ ଜାରି ରହିଛି କଂଗ୍ରେସର ଚିନ୍ତନ ଶିବିର  । ଦଳକୁ ପ୍ରଭାବିତ କରୁଥିବା ବିଭିନ୍ନ ପ୍ରସଙ୍ଗରେ ବିଚାରବିମର୍ଷ ଜାରି ରହିଛି  । ପ୍ରତି କଂଗ୍ରେସ ନେତାଙ୍କୁ ଦୁଇଟି ରାଜ୍ୟସଭା କାର୍ଯ୍ୟକାଳ ସଂପର୍କିତ ପ୍ରସ୍ତାବ ଉପରେ ଆଜି ଆଲୋଚନା ହେଉଛି । ରାଜ୍ୟସଭାରେ ଦୁଇଟି କାର୍ଯ୍ୟକାଳ ପରେ କଂଗ୍ରେସ ନେତା ଲୋକସଭା ବା ବିଧାନସଭା ନିର୍ବାଚନ ଲଢିପାରିବେ । କିନ୍ତୁ ଏହାପରେ ସେମାନେ ତୃତୀୟ ଥର ରାଜ୍ୟସଭାକୁ ଯାଇପାରିବେ ନାହିଁ । ଏହାଛଡ଼ା ବ୍ଲକ ଓ ଜିଲ୍ଲାସ୍ତରରୁ ଅଲଇଣ୍ଡିଆ କଂଗ୍ରେସ କମିଟି ଯାଏଁ ସମସ୍ତ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୫ ବର୍ଷ ପାଇଁ ଧାର୍ଯ୍ୟ କରିବାକୁ ପ୍ରସ୍ତାବ ଦିଆଯାଇଛି । ୫ ବର୍ଷ କାର୍ଯ୍ୟକାଳ ପରେ ତିନି ବର୍ଷ କୁଲିଂ ଅଫ୍ ପିରିୟଡ ରହିବ ।