ଇମ୍ରାନଙ୍କୁ ପିଟୁଛି ପୋଲିସ, ସମର୍ଥକଙ୍କ ସଙ୍ଗୀନ ଅଭିଯୋଗ

ଇସଲାମାବାଦ: ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ପରିସରରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି । ପାକିସ୍ତାନୀ ରେଞ୍ଜର୍ସ ଅର୍ଥାତ ପାରାମିଲିଟାରୀ ଫୋର୍ସ ଇମ୍ରାନଙ୍କୁ ଗିରଫ କରିଛି । ଦୁଇଟି ମାଲମାରେ ଜାମିନ ପାଇଁ ହାଇକୋର୍ଟ ଯାଇଥିଲେ ଇମ୍ରାନ । ଏହି ସମୟରେ ତାଙ୍କୁ ଗିରଫ କରାଯାଇଛି । ପାକିସ୍ତାନୀ ମିଡିଆର ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ହାଇକୋର୍ଟରେ ପହଞ୍ଚିବା କ୍ଷଣି ପାରାମିଲିଟାରୀ ଫୋର୍ସ ଏବଂ ସଶସ୍ତ୍ର ବାହିନୀ ହାଇକୋର୍ଟରେ ପହଞ୍ଚି ଯାଇଥିଲେ ।

ଗାଡ଼ିରେ ଗେଟ୍ ବ୍ଲକ୍ କରିଦେଇଥିଲେ ଏବଂ ଏହାର କିଛି ସମୟ ପରେ ଇମ୍ରାନ ଖାନକୁ ଗିରଫ କରାଯାଇ ବାହାରକୁ ଅଣାଯାଇଥିଲା । ନିକଟରେ ଇମ୍ରାନ ଇଣ୍ଟେଲିଜେନ୍ସର ମୁଖ୍ୟ ଅଧିକାରୀଙ୍କ ଉପରେ ଆରୋପ ଲଗାଇଥିଲେ ଯେ ସେ ବଜିରାବାଦରେ ତାଙ୍କୁ ହତ୍ୟା କରିବା ନେଇ ଷଡଯନ୍ତ୍ର କରୁଛନ୍ତି । ପାକିସ୍ତାନୀ ସେନା ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲା । ଏହାପରେ ଆଜି ଇମ୍ରାନ ଏକ ଭିଡିଓ ଜାରି କରି ପୁଣିଥରେ ଆରୋପ ଦୋହରାଇଥିଲେ ।

ଏହାର ଚାରି ଘଣ୍ଟା ପରେ ତାଙ୍କୁ କୋର୍ଟରୁ ଗିରଫ କରାଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଆମେର ଫାରୁକ ଇମ୍ରାନଙ୍କ ଗିରଫଦାରୀ ପରେ ଗୃହମନ୍ତ୍ରୀଙ୍କ ସଚିବ ଏବଂ ଇସଲାମାବାଦର ପୋଲିସ ମୁଖିଆଙ୍କୁ ୧୫ ମିନିଟ ଭିତରେ କୋର୍ଟରେ ହାଜର ହେବା ପାଇଁ ଆଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି କହିଛନ୍ତି ଯେ ଯଦି ପୋଲିସ ମୁଖିଆ କୋର୍ଟରେ ହାଜର ନହୁଅନ୍ତି ତେବେ ଆମେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ଏଠାକୁ ଡକାଇବାକୁ ବାଧ୍ୟ ହେବୁ ।

ଏମାନେ କୋର୍ଟକୁ ଆସନ୍ତୁ ଏବଂ କୁହନ୍ତୁ ଯେ ଇମ୍ରାନଙ୍କୁ କେଉଁ ମାମାଲା ଏବଂ କାହିଁକି ଗିରଫ କରାଯାଇଛି? ଇମ୍ରାନଙ୍କ ପାର୍ଟି ପିଟିଆଇର ଜଣେ ନେତା ମୁସରତ ଚିମା ଏକ ଭିଡିଓ ମେସେଜ୍ ଜାରି କରିଛନ୍ତି । ସେଥିରେ ସେ କହିଛନ୍ତି ଇମ୍ରାନ ଖାନଙ୍କୁ ଏବେ ଟଚର କରାଯାଉଛି । ସେମାନେ ଖାନ୍ ସାହବଙ୍କୁ ମାରୁଛନ୍ତି । ଦଳର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଇମ୍ରାନଙ୍କ ଓକିଲଙ୍କର ଏକ ଭିଡିଓ ସେୟାର କରାଯାଇଛି । ଦଳ କହିଛି ଯେ ହାଇକୋର୍ଟ ବାହାରେ ଇମ୍ରାନଙ୍କୁ ନିର୍ଦ୍ଦୟୀ ଭାବେ ମାଡ଼ ମରାଯାଇଛି ।

ଇମ୍ରାନଙ୍କୁ ଗିରଫ କରି କୁଆଡେ ନିଆଗଲା ତାହା ମଧ୍ୟ ଜଣାପଡିନାହିଁ  । ଇମ୍ରାନଙ୍କ ଦଳ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି  । ଇମ୍ରାନଙ୍କୁ କୋର୍ଟ ପରିସରରୁ ଅପହରଣ କରାଯାଇଛି ବୋଲି ଅଭିଯୋଗ ହୋଇଛି  । ଇମ୍ରାନଙ୍କ ଗିରଫ ପ୍ରତିବାଦରେ ସାରା ଦେଶରେ ଦଳର କାର୍ଯ୍ୟକର୍ତ୍ତମାନେ ଆନ୍ଦୋଳନ କରିଛନ୍ତି ।