#RIPPranabMukherjee: ରାଜନେତାରୁ ରାଷ୍ଟ୍ରପତି, ପ୍ରଣବଙ୍କ ଜୀବନର ପୂରା କାହାଣୀ

ନୂଆଦିଲ୍ଲୀ: ଦେଶର ତ୍ରୟୋଦଶତମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଦୁନିଆକୁ କହିଛନ୍ତି ଅଲବିଦା । ଦେହାନ୍ତ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସାମ୍ବାଦିକତାରୁ ରାଜନେତା । ରାଜନେତାରୁ ରାଷ୍ଟ୍ରପତି । ପ୍ରଣବଙ୍କ ଜୀବନକୁ ଏମିତି ଦୁଇଟି ବାକ୍ୟରେ ବ୍ୟାଖ୍ୟା କରାଯାଇପାରେ । ଦେଶର ଧୂରୀଣ ରାଜନେତାଙ୍କ ମଧ୍ୟରୁ ଜଣେ ଥିଲେ ସେ । କିନ୍ତୁ ସେ କେବେ ମଧ୍ୟ ଜଣେ ମାସ୍ ଲିଡର ବା ଜନନେତା ନଥିଲେ । ଏକଥା ତାଙ୍କ ସମର୍ଥକ ବି ସ୍ୱୀକାର କରିବେ । ସେ ଏଭଳି ଜଣେ ବିରଳ ରାଜନେତା ଥିଲେ ଯିଏ ଲୋକଙ୍କ ନେତା ନଥିଲେ କିନ୍ତୁ ଦେଶର ନଜରରେ ସେ ଥିଲେ ବା ଦେଶର ନଜର ତାଙ୍କ ଉପରେ ଥିଲା । ଜନାଧାର ନଥିଲେ ମଧ୍ୟ ସେ ଜନତାଙ୍କ ଦୃଷ୍ଟିରେ ଥିଲେ । ଯାହା ତାଙ୍କୁ ଅଲଗା ରାଜନେତାଙ୍କଠାରୁ ଭିନ୍ନ କରିଥିଲା ।

ଇନ୍ଦିରାଙ୍କଠାରୁ ସୋନିଆ ପୁଣି ରାହୁଲ । କଂଗ୍ରେସର ତିନି ପିଢି ସହ ସେ କାମ କରିଥିଲେ । ତାଙ୍କର ରାଜନୈତିକ ଅଭିଜ୍ଞତା ତାଙ୍କୁ କଂଗ୍ରେସରେ କରିଥିଲା ନମ୍ବର ଦୁଇ । ରାଜୀବଙ୍କଠାରୁ ସୋନିଆଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଅମଳରେ ସେ ଥିଲେ କଂଗ୍ରେସ ଦଳର ନମ୍ବର ଦୁଇ । ଅବଶ୍ୟ ଏହା ମଧ୍ୟ କୁହାଯାଏ ଯେ, ସେ ଥିଲେ କଂଗ୍ରେସର ପିଏମ୍ ୱେଟିଂ ଯିଏ କେବେବି ପ୍ରଧାନମନ୍ତ୍ରୀ ହୋଇ ପାରିନଥିଲେ ।

ପିଏମ୍ ଇନ୍ ୱେଟିଂ

ପ୍ରଣବ ମହତ୍ୱାକାଂକ୍ଷୀ ଥିଲେ । ରାଜନୀତିରେ ମହତ୍ୱାକାଂକ୍ଷୀ ହେବା କିଛି ଖରାପ ନୁହେଁ । ପ୍ରଣବଙ୍କର ମଧ୍ୟ ପ୍ରଧାନମନ୍ତ୍ରୀ ହେବାର ଇଛା ଥିଲା । କିନ୍ତୁ ତାଙ୍କ ଇଛା କେବେ ମଧ୍ୟ ପୂରଣ ହୋଇପାରିନଥିଲା । ୧୯୮୪ ମସିହାରେ ଇନ୍ଦିରାଙ୍କ ହତ୍ୟା ପରେ ଦେଶରେ ଗୋଟିଏ ପ୍ରଶ୍ନ ଉଠୁଥିଲା  । ତାହା ଥିଲା ଏବେ ଦେଶକୁ ନେତୃତ୍ୱ ଦେବ କିଏ ? ଇନ୍ଦିରାଙ୍କ ପରେ କିଏ ? ଏହାର ଉତ୍ତରରେ ପ୍ରଣବଙ୍କ ନାମ ମଧ୍ୟ ଆସୁଥିଲା । ପ୍ରଣବ ମଧ୍ୟ ଆଗାମୀ ପ୍ରଧାନମନ୍ତ୍ରୀ ହେବାକୁ ଆଗ୍ରହୀ ଥିଲେ ବୋଲି କୁହାଯାଏ । ଇନ୍ଦିରାଙ୍କ ମୃତ୍ୟୁ ପରେ କ୍ୟାବିନେଟର ନମ୍ବର ଦୁଇ ହୋଇଥିବାରୁ ତାଙ୍କୁ କାମଚଳା ପ୍ରଧାନମନ୍ତ୍ରୀ କରାଯିବା ଉଚିତ ବୋଲି କାଳେ ସେ ରାଜୀବ ଗାନ୍ଧିଙ୍କୁ କହିଥିଲେ । ଯାହାକୁ ପ୍ରଣବଙ୍କ କ୍ଷମତା ଲୋଭ ବୋଲି ବିବେଚନା କରାଯାଇଥିଲା ଓ ତାଙ୍କ ନାମକୁ କେବେ ମଧ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ବିଶେଷକରି ଗାନ୍ଧି ପରିବାର ବିଚାରକୁ ନେଇ ନଥିଲା । ତେବେ ପ୍ରଣବ ମୁଖାର୍ଜୀ ନିଜ ଆତ୍ମ ଜୀବନୀରେ ଏହାକୁ ଖଣ୍ଡନ କରିଛନ୍ତି । ଇନ୍ଦିରାଙ୍କୁ ଗୁଳିମାଡ଼ ଦିନ ରାଜୀବ ପଶ୍ଚିମ ବଙ୍ଗରେ ଥିଲେ ଓ ସେ ତାଙ୍କ ସହ ଦିଲ୍ଲୀ ଫେରିଥିଲେ ବୋଲି ସେ ନିଜ ଆତ୍ମଜୀବନୀରେ ଲେଖିଛନ୍ତି । ଆଉ ଏଭଳି କୌଣସି ପ୍ରସଙ୍ଗ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇନଥିଲା ବୋଲି ପ୍ରଣବ ଲେଖିଛନ୍ତି ।

ଦ୍ୱିତୀୟ ଥର ପାଇଁ ପ୍ରଣବଙ୍କ ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ରାଜୀବ ଗାନ୍ଧିଙ୍କ ହତ୍ୟା ପରେ ସୃଷ୍ଟି ହୋଇଥିଲା । କିନ୍ତୁ ସେତେବେଳେ ସୋନିଆ ଗାନ୍ଧି ରାଜନୈତିକ ବନବାସରେ ଥିବା ନରସିଂହା ରାଓଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ବାଛିଥିଲେ । କୁହାଯାଏ ଯେ, ସୋନିଆ ପ୍ରଣବଙ୍କୁ ସଂପୂର୍ଣ୍ଣ ବିଶ୍ୱାସ କରୁନଥିଲେ । ତେଣୁ ସେ ନରସିଂହ ରାଓଙ୍କ ଉପରେ ବିଶ୍ୱାସ ବ୍ୟକ୍ତ କରିଥିଲେ । ଅବଶ୍ୟ ଏହା ଅଲଗା କଥା ଯେ, ପରେ ଗାନ୍ଧି ପରିବାର ଓ ରାଓଙ୍କ ମଧ୍ୟରେ ସଂପର୍କ ତିକ୍ତ ହୋଇପଡିଥିଲା । ଏତେ ତିକ୍ତ ଯେ, ୨୦୦୪ରେ ନରସିଂହଙ୍କ ଦେହାନ୍ତ ପରେ ତାଙ୍କ ମରଶରୀରକୁ କଂଗ୍ରେସ ମୁଖ୍ୟାଳୟ ମଧ୍ୟକୁ ନିଆଯାଇନଥିଲା । କୁହାଯାଏ ମୁଖ୍ୟାଳୟରେ ସେ ସମୟରେ ତାଲା ପକାଇ ଦିଆଯାଇଥିଲା ।

ତୃତୀୟ ଥର ପାଇଁ ୨୦୦୪ରେ ମଧ୍ୟ ପ୍ରଣବ ପ୍ରଧାନମନ୍ତ୍ରୀ ହୋଇ ପାରିନଥିଲେ । ପ୍ରଣବଙ୍କ ସ୍ଥାନରେ ସୋନିଆ ଅନ୍ତର ଆତ୍ମାର ସ୍ୱର ଶୁଣି କ୍ଷମତାକୁ ତ୍ୟାଗ କରିବା ସହ ମନମୋହନଙ୍କୁ ବାଛିଥିଲେ । ସୋନିଆ ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ କରି କୌଣସି ରିସ୍କ ନେବାକୁ ଚାହୁଁନଥିଲେ ବୋଲି କୁହାଯାଏ । ଏମିତି ଦୀର୍ଘ ୨୫ ବର୍ଷ ପର୍ଯ୍ୟନ୍ତ ପ୍ରଣବ ପିଏମ୍ ଇନ୍ ୱେଟିଂ ରହି ଶେଷରେ ରାୟସିନା ହିଲକୁ ୨୦୧୨ରେ ପ୍ରବେଶ କରିଥିଲେ, ଦେଶର ପ୍ରଥମ ନାଗରିକ ଭାବେ ।

ବିରଳ ରେକର୍ଡର ଅଧିକାରୀ

ପ୍ରଣବଙ୍କ ନାମରେ ଗୋଟିଏ ବିରଳ ରେକର୍ଡ ରହିଛି । ସେ ସମ୍ଭବତଃ ଏକମାତ୍ର ନେତା ଯିଏ ପ୍ରତିରକ୍ଷା, ବୈଦେଶିକ ଓ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳି ଥିଲେ । ସେ ଦୀର୍ଘ ୨୫ ବର୍ଷ ଧରି ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିରେ କ୍ୟାବିନେଟ୍ ମିଂଟିରେ ଅଧ୍ୟକ୍ଷତା କରୁଥିଲେ । କିନ୍ତୁ ସେ କେବେ ପ୍ରଧାନମନ୍ତ୍ରୀ ହୋଇ ପାରିନଥିଲେ ।

ସାମ୍ବାଦିକତାରୁ ରାଜନୀତି

୧୯୩୫ରେ ବୀରଭୂମିର ଗୋଟିଏ ବଙ୍ଗାଳି ମଧ୍ୟବିତ ପରିବାରରେ ପ୍ରଣବଙ୍କ ଜନ୍ମ ହୋଇଥିଲା । ଇତିହାସ ଓ ଆଇନରେ ଡିଗ୍ରୀ ପରେ ସେ କଲେଜରେ ଶିକ୍ଷାଦାନ କରିଥିଲେ । କିଛି ଦିନ ସାମ୍ବାଦିକାତା ମଧ୍ୟ କରିଥିଲେ । କିନ୍ତୁ ପରେ ରାଜନୀତି ପାଇଁ ସବୁ ଛାଡିଥିଲେ । ତାଙ୍କ ପିତା କାମଦା କିଙ୍କର ମୁଖାର୍ଜୀ ଜଣେ କଂଗ୍ରେସ କର୍ମୀ ଥିଲେ । ତେଣୁ ରାଜନୀତି ତାଙ୍କ ରକ୍ତରେ ଥିଲା । ୧୯୬୯ ମସିହାରେ ନକ୍ସଲ ଆନ୍ଦୋଳନ ଯେତେବେଳେ ଚରମରେ ଥିଲା ପ୍ରଣବ ସେତେବେଳେ ନିଜ ସଂସଦୀୟ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ୨୦୦୪ ମସିହାରେ ହିଁ ସେ ଲୋକସଭାକୁ ନିର୍ବାଚିତ ହୋଇ ପାରିଥିଲେ ।ଏହା ମଧ୍ୟରେ ସେ ରାଜ୍ୟସଭାକୁ ଅନେକ ଥର ମନୋନୀତ ହୋଇଥିଲେ ।

ଇନ୍ଦିରାଙ୍କ ମନ୍ତ୍ରିମଣ୍ଡଳରେ ୧୯୭୩ ମସିହାରେ ସେ ପ୍ରଥମ ଥର ପାଇଁ ରାଜସ୍ୱ ଓ ବ୍ୟାଙ୍କିଙ୍ଗ୍ ମନ୍ତ୍ରୀ ହୋଇଥିଲେ । ଏହାପରଠାରୁ ସେ ପ୍ରତି କଂଗ୍ରେସ ସରକାରରେ ମନ୍ତ୍ରୀ ରହିଥିଲେ । ୧୯୮୨ ମସିହାରେ ସେ ପ୍ରଥମ ଥର ପାଇଁ ଅର୍ଥମନ୍ତ୍ରୀ ହୋଇଥିଲେ । ତେବେ ଇନ୍ଦିରାଙ୍କ ମୃତ୍ୟୁ ପରେ କିଛି ଦିନ ପାଇଁ ସେ କଂଗ୍ରେସ ଛାଡ଼ି ଅଲଗା ଗୋଟିଏ ରାଜନୈତିକ ଦଳ ଗଠନ କରିଥିଲେ । ତେବେ ତାଙ୍କ ଦଳର ଅଳ୍ପଦିନରେ ଅପମୃତ୍ୟୁ ହୋଇଥିଲା ଓ ସେ ଦଳକୁ ପୁଣି ଫେରିଥିଲେ ।

ମନମୋହନ ସରକାର ଅମଳରେ ସେ ଥିଲେ ଟ୍ରବୁଲ ସୁଟର । କେବେ ମନମୋହନ ଅର୍ଥ ମନ୍ତ୍ରଣାଳୟରେ ତାଙ୍କ ଜୁନିୟର ଥିଲେ, କିନ୍ତୁ ନିୟମକୁ ମାନୁଥିବା ପ୍ରଣବ, ପ୍ରଧାନମନ୍ତ୍ରୀ ମନମୋହନଙ୍କ ସଂକଟମୋଚକ ଭାବେ ଉଭା ହୋଇଥିଲେ । ଯେତେବେଳେ ବି କୌଣସି ରାଜନୈତିକ ସଂକଟ ସୃଷ୍ଟି ହେଉଥିଲା ସେତେବେଳେ ମନମୋହନ ଓ ସୋନିଆ କେବଳ ପ୍ରଣବଙ୍କୁ ଖୋଜୁଥିଲେ ।

ପ୍ରଣବଙ୍କ ସ୍ମରଣ ଶକ୍ତି ପ୍ରଖର ଥିଲା । ତାଙ୍କ ସହ କାମ  କରିଥିବା ପ୍ରତି ବ୍ୟକ୍ତି ଏହାକୁ ସ୍ୱୀକାର କରନ୍ତି । ରାଜନୀତି ହେଉ କି ଇତିହାସ । ପ୍ରଣବଙ୍କ ପାଖରେ ସବୁର ତଥ୍ୟ ରହୁଥିଲା । ୟୁପିଏ ସରକାର ଅମଳରେ ରାଷ୍ଟ୍ରପତି ହୋଇଥିବା ପ୍ରଣବଙ୍କ ୨୦୧୪ର ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ । ଏହାପରେ ରାଷ୍ଟ୍ରପତି ଭବନ ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ମଧ୍ୟରେ ସଂପର୍କ କେମିତି ରହିବ ବୋଲି ଅନେକ ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ସବୁ ଆଶଙ୍କାକୁ ପ୍ରଣବଙ୍କ ଅଭିଜ୍ଞତା ଦୂର କରିଦେଇଥିଲା । ମୋଦି ଓ ତାଙ୍କ ମଧ୍ୟରେ ସଂପର୍କ ଶେଷ ପର୍ଯ୍ୟନ୍ତ ବେଶ ମଜବୁତ ଥିଲା । ୨୦୧୯ ଅଗଷ୍ଟ ୮ରେ ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ପ୍ରଣବ ମୁଖାର୍ଜୀ,ଭାରତୀୟ ରାଜନୀତିର ଦାଦା ଆଜି ନେଇଛନ୍ତି ଚିର ବିଦାୟ । କିନ୍ତୁ ରାଜନୀତି ଓ ଭାରତୀୟ ଇତିହାସରେ ସେ ଚିର ନମସ୍ୟ ହୋଇ ରହିବେ ।

Leave a Reply