୧୦୦ ବର୍ଷରେ ଆଖି ବୁଜିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପରଲୋକ । ଦେହାନ୍ତ ବେଳକୁ ଜିମି କାର୍ଟରଙ୍କୁ ୧୦୦ ବର୍ଷ ହୋଇଥିବା ବେଳେ ସେ ନିଜ ଘର ଜର୍ଜିଆରେ ମୃତ୍ୟୁବରଣ କରିଛନ୍ତି । ସେ ଆମେରିକାର ୩୯ତମ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ । ଜେରାଲ୍ଡ ଫୋର୍ଡଙ୍କ ପରେ ସେ ଜାନୁଆରୀ ୧୯୭୭ରୁ ଜାନୁଆରୀ ୧୯୮୧ ଯାଏ ଆମେରିକା ରାଷ୍ଟ୍ରପତି ଥିଲେ। ରାଷ୍ଟ୍ରପତି ଥିବାବେଳେ ସେ ଅନେକ ପ୍ରଶଂସା ସାଉଁଟିଛନ୍ତି । ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କାରଣରୁ ତାଙ୍କୁ ୨୦୦୨ରେ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା।

ଜିମି କାର୍ଟର ଜର୍ଜିଆର ପ୍ଲେନ୍ସରେ ଜନ୍ମଗ୍ରହଣ କରିଥିଲେ । ମାନବାଧିକାରର ସୁରକ୍ଷା ଓ ସାମାଜିକ ନ୍ୟାୟ କ୍ଷେତ୍ରରେ ତାଙ୍କ ଅବଦାନ ଥିଲା ଅବିସ୍ମରଣୀୟ। ରାଷ୍ଟ୍ରପତି ହେବା ପୂର୍ବରୁ ସେ ଜର୍ଜିଆର ରାଜ୍ୟପାଳ ଥିଲେ। କାର୍ଟର ୧୯୭୬ରେ ବାହ୍ୟ ପ୍ରାର୍ଥୀ ଭାବରେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ। ଯେଉଁଥିରେ ସେ କହିଥିଲେ ଯେ ଯଦି ନିର୍ବାଚନ ଜିତିବା ପାଇଁ ମୁଁ ତୁମକୁ ମିଛ କହୁଛି କିମ୍ବା ବିଭ୍ରାନ୍ତିକର ବିବୃତ୍ତି ଦେଉଛି, ତେବେ ମୋତେ ଭୋଟ୍ ଦିଅ ନାହିଁ। ସେହି ସମୟ ମଧ୍ୟରେ, କାର୍ଟର ଏକ ସ୍ୱଚ୍ଛ ଏବଂ ସର୍ବସାଧାରଣ ନିର୍ବାଚନ ପ୍ରଚାର କରିଥିଲେ। ସେ ତତ୍କାଳୀନ ରାଷ୍ଟ୍ରପତି ଜେରାଲ୍ଡ ଫୋର୍ଡଙ୍କୁ କମ୍ ବ୍ୟବଧାନରେ ପରାସ୍ତ କରିଥିଲେ।   ଇସ୍ରାଏଲ ଓ ଇଜିପ୍ଟ ମଧ୍ଯରେ ଶାନ୍ତି ପ୍ରତିଷ୍ଠା ସଂକ୍ରାନ୍ତ କ୍ଯାମ୍ପ ଡାଭିଡ ଚୁକ୍ତି ଲାଗି ସେ ଖ୍ଯାତି ଅର୍ଜନ କରିଥିଲେ।

୧୯୮୨ରେ ସେ କାର୍ଟର ସେଣ୍ଟର ପ୍ରତିଷ୍ଠା କରିଥିଲେ । ଏହି କେନ୍ଦ୍ର ମାଧ୍ୟମରେ ସେ ବିଶ୍ବରେ ଅପହଞ୍ଚ ଅଞ୍ଚଳର ବିବାଦର ସମାଧାନ, ନିର୍ବାଚନ ମନିଟରିଂ ଏବଂ ରୋଗ ନିରାକରଣ ପାଇଁ କାର୍ଯ୍ୟ କରିଥିଲେ।  ବିଶ୍ବ କୂଟନୀତି ଦିଗରେ ଏହି ପ୍ରତିଷ୍ଠାନର ଅବଦାନ ଉଲ୍ଲେଖନୀୟ ଥିଲା।ଏହି ପ୍ରୟାସ ତାଙ୍କୁ ମାନବିକ ନେତା ଭାବରେ ବିଶ୍ୱବ୍ୟାପୀ ସମ୍ମାନ ପ୍ରଦାନ କରିଥିଲା ​​ ।

ଜିମି କାର୍ଟରଙ୍କ ମୃତ୍ୟୁରେ ରାଷ୍ଟ୍ରପତି ଜୋ ବାଇଡେନ ଶୋକ ପ୍ରକାଶ କରିବା ସହିତ ସୋସିଆଲ ମିଡିଆ X ରେ ଏକ ପୋଷ୍ଟ କରିଛନ୍ତି । ଆମେରିକା ବିଶ୍ୱର ଜଣେ ଅସାଧାରଣ ନେତାଙ୍କୁ ହରାଇଛି । ସେ ଆମେରିକାର ଜଣେ ପ୍ରିୟ ବନ୍ଧୁ । ଏବଂ ଦେଶ ତାଙ୍କୁ ସମ୍ମାନ ଜଣାଉଛି । ତାଙ୍କୁ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳନ ହୋଇଥିବା ବେଳେ ଦେଶର ପତାକାକୁ ଅର୍ଦ୍ଧନମିତ କରାଯାଇଥିଲା । ଡୋନାଲ୍ଡ ଟ୍ରମ୍ପ ଜିମି କାର୍ଟରଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହିତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତିି । ତାଙ୍କ ମୃତ୍ୟୁ ବିଷୟରେ ସେ ଲେଖିଛନ୍ତି ଯେ ମୁଁ ରାଷ୍ଟ୍ରପତି ଜିମି କାର୍ଟରଙ୍କ ମୃତ୍ୟୁ ଖବରରେ ମର୍ମାହତ । ସମସ୍ତ ଆମେରିକୀୟଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସେ ସବୁକିଛି କରିଥିଲେ। ସେଥିପାଇଁ ଆମେ ସମସ୍ତେ ତାଙ୍କ ପାଇଁ କୃତଜ୍ଞ। ଏହି କଠିନ ସମୟରେ ମେଲାନିଆ ଏବଂ ମୁଁ କାର୍ଟରଙ୍କ ପରିବାରଙ୍କ ସହିତ ଅଛୁ ।