ରାଜୀବ ଗାନ୍ଧି ହତ୍ୟା ମାମଲା: ଜେଲରୁ ମୁକୁଳିବାକୁ ଆଉ ଜଣେ ଦୋଷୀ ରବିଚନ୍ଦ୍ରନଙ୍କ ଆବେଦନ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ଘଟଣାରେ ଆଉଜଣେ ଦୋଷୀ ଜେଲରୁ ମୁକୁଳିବା ପାଇଁ ଆବେଦନ କରିଛନ୍ତି । ଦୋଷୀ ରବିଚନ୍ଦ୍ରନଙ୍କ ପକ୍ଷରୁ ତାଙ୍କ ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ନିଜ ଆବେଦନରେ ରବିଚନ୍ଦ୍ରନ ଉଲ୍ଲେଖ କରିଛନ୍ତି, ପେରାରିବଲନଙ୍କୁ ଯେଉଁଭଳି ଭାବେ ମୁକ୍ତ କରାଯାଇଛି ସେହିପରି ତାଙ୍କୁ ମଧ୍ୟ ଜେଲରୁ ମୁକ୍ତ କରାଯାଉ ।

ଏଥିସହ କୋର୍ଟଙ୍କୁ ଅନୁରୋଧ କରିଛନ୍ତି, ଜେଲରୁ ମୁକୁଳିବା ପ୍ରକ୍ରିୟା ସମ୍ପନ୍ନ ହେବା ପର୍ଯନ୍ତ ତାଙ୍କୁ ଅନ୍ତରୀଣ ଜାମିନ ଦିଆଯାଉ  । ସୂଚନା ଥାଉକି, ଗତ ମେ ମାସ ୧୮ ତାରିଖରେ ରାଜୀବ ଗାନ୍ଧିଙ୍କ ହତ୍ୟାକାଣ୍ଡର ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ପେରାରିବଲନଙ୍କୁ କୋର୍ଟ ମୁକ୍ତ କରିଥିଲେ । ଏବେ ୬ ଦୋଷୀଙ୍କ ମଧ୍ୟରୁ ଆଉ ଜଣେ ଦୋଷୀ ରବିଚନ୍ଦ୍ରନ ସୁପ୍ରିମକୋର୍ଟଙ୍କ ପେରାରିବଲନ ଆଦେଶର ଉଲ୍ଲେଖ କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଚବିଚନ୍ଦ୍ରନଙ୍କ ପକ୍ଷରୁ ଓକିଲ ଆନନ୍ଦ ସେଲବନ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଆବେଦନରେ କହିଛନ୍ତି, ରବିଚନ୍ଦ୍ରନଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଆସିଛି ।

୨୦୧୬ ଏବଂ ୨୦୧୭ ମଧ୍ୟରେ ରବିଚନ୍ଦ୍ରନ ଜେଲରେ କାମ କରି ୨୦ ହଜାର ଟଙ୍କା ରାଶି ଅର୍ଜନ କରିଥିଲେ । ଏହି ରାଶିକୁ ସେ ନିକଟରେ ହାୱାର୍ଡ ବିଶ୍ୱବିଦ୍ୟାଳୟରେ ଗଠିତ ତାମିଲ ଚେୟାରକୁ ଦାନ କରିଥିଲେ । ଏଥିସହିତ ଆବେଦନରେ କୁହାଯାଇଛି, ରବିଚନ୍ଦ୍ରନ ସାମାଜିକ ଭାବେ ଜଣେ ସଚେତନ ଥିବା ବ୍ୟକ୍ତି ଏବଂ ଯଦି ସେ ଜେଲରୁ ବାହାରକୁ ଆସନ୍ତି ତେବେ ବି କୌଣସି ଲୋକ ପାଇଁ ବିପଦ ସୃଷ୍ଟି କରିବେ ନାହିଁ ।

ସୁପ୍ରିମକୋର୍ଟ ଆବେଦନ ଉପରେ ବିଚାର କରି ତାଙ୍କୁ ମୁକ୍ତ କରନ୍ତୁ । ତେବେ ସୁପ୍ରିମକୋର୍ଟ ଏହା ଉପରେ ବର୍ତ୍ତାମାନ କିଛି ନିଷ୍ପତ୍ତି ନେଇନାହାନ୍ତି । ଆଗାମୀ ଦିନରେ କଣ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି  ।  ପେରାରିବଲନଙ୍କ ମାମଲାରେ ତାମିଲନାଡ଼ୁ ସରକାର, ରାଜ୍ୟପାଳ ଏବଂ ସୁପ୍ରିମକୋର୍ଟଙ୍କ ଅନୁମତି କ୍ରମେ ଜେଲରୁ ଖଲାସ କରାଯାଇଥିଲା  ।  ସମସ୍ତ ଦୋଷୀ ୧୯୯୧ ମସିହାରୁ ଏଯାବତ ଜେଲଦଣ୍ଡ ଭୋଗୁଛନ୍ତି  ।