ନିର୍ବାଚନ ଲଢିବାକୁ ଇଚ୍ଛା କରୁନାହାନ୍ତି କଂଗ୍ରେସର ହେଭିୱେଟ୍; ଘାରିଛିକି ପରାଜୟର ଭୟ?

ଭୁବନେଶ୍ୱର: ଆର ୟା ପାର ଲଢେଇ । ରାଜ୍ୟ କଂଗ୍ରେସ ପାଇଁ ୨୦୨୪ ହେବ ନିର୍ଣ୍ଣାୟକ। ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ଜରିଆରେ କଂଗ୍ରେସ ଲୋକଙ୍କ ବିଶ୍ୱାସ ଜିଣିବାକୁ ଜୋରଦାର ପ୍ରୟାସ କରୁଛି। ହେଲେ ଲଢ଼େଇ ପୂର୍ବରୁ ଦଳର ଅଭିଜ୍ଞ ଓ ମଙ୍ଗୁଆଳମାନେ ମଇଦାନ ଛାଡ଼ିବା ଘୋଷଣା ଦଳକୁ ଚିନ୍ତାରେ ପକାଇଲାଣି।

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଖୋଲାଖୋଲି ଭାବେ ଆଗାମୀ ନିର୍ବାଚନ ଲଢିବେନି ବୋଲି ଘୋଷଣା କରିସାରିଛନ୍ତି । ଆଉ ଏହି ତାଲିକାରେ ସାମିଲ ହୋଇପାରିନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ୨୪ ଲଢ଼େଇ କଂଗ୍ରେସ ପାଇଁ ଶେଷ ସୁଯୋଗ କହି ଚର୍ଚ୍ଚାକୁ ଆସିଥିବା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ନିର୍ବାଚନ ଲଢିବେ କି ନାହିଁ ଅନିଶ୍ଚିତତା ଭିତରେ ରହିଛନ୍ତି। ଅନ୍ୟପଟେ ପିସିସି ସଭାପତି ବିଧାୟକ ଓ ଜିଲ୍ଲା ସଭାପତିଙ୍କ ପରାମର୍ଶ ଅନୁସାରେ କମିଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି। ଯାହାକୁ ନେଇ କଂଗ୍ରେସ ରାଜନୀତି ସରଗରମ।