ପାକିସ୍ତାନରେ ଆର୍ମି ଭର୍ସେସ ଇମ୍ରାନ, ସତ୍ତା ପାଇଁ ସଡ଼କରେ ହଲ୍ଲାବୋଲ

1 min read

ଇସଲାମାବାଦ: ପାକିସ୍ତାନରେ ସତ୍ତାକୁ ନେଇ ଆରପାର ଲଢ଼େଇ । ଇସଲାମାବାଦରେ ଇମ୍ରାନଙ୍କ ଶକ୍ତି ପ୍ରଦର୍ଶନ । ସଡ଼କରେ ଇମ୍ରାନ ଓ ପାକିସ୍ତାନ ସେନା ମଧ୍ୟରେ ଟକ୍କର । ସେନା ମୁଖ୍ୟ ଜେନେରାଲ କମର ଜେବେଦ ବାଜଓ୍ୱା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମଧ୍ୟରେ ଜାରି ରହିଥିବା ବାକ୍ ଯୁଦ୍ଧ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ପାକିସ୍ତାନ ସେନା ଓ ଗୁଇନ୍ଦା ଏଜେନ୍ସି ISIର ଧମକ ସତ୍ତ୍ୱେ ଆଜିଠାରୁ ଲଙ୍ଗ୍ ମାର୍ଚ୍ଚ ଆରମ୍ଭ କରିଛନ୍ତି ଇମ୍ରାନ । ଲାହୋରସ୍ଥିତ ଲିବର୍ଟି ସ୍କୋୟାରରୁ ଇସଲାମାବାଦ ଅଭିମୁଖେ ଯାତ୍ରା ଆରମ୍ଭ ହୋଇଛି । ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ସଭାସମିତି କରିବାର କାର୍ଯ୍ୟକ୍ରମ ରହିଛି ।

ଦେଶରେ ବିଭିନ୍ନ ପ୍ରକାର ସଙ୍କଟ ସୃଷ୍ଟି ହେଉଥିବାବେଳେ ଅରାଜକତା ବ୍ୟାପୁଥିବାରୁ ତୁରନ୍ତ ନିର୍ବାଚନ କରିବା ଲାଗି ଦାବି କରିଛନ୍ତି ଇମ୍ରାନ । ସେହିପରି କେନିଆରେ ପାକିସ୍ତାନ ସାମ୍ବାଦିକଙ୍କ ହତ୍ୟାକୁ ନେଇ ମଧ୍ୟ ସରକାରଙ୍କୁ ଘେରିଛନ୍ତି ଇମ୍ରାନ । ଦେଶରେ ଅର୍ଥନୈତିକ ସଂକଟ ଜାରି ରହିଥିବା ବେଳେ ଋଣଭାର, ଖାଦ୍ୟାଭାବ ଆଦି ସମସ୍ୟାରେ ଛନ୍ଦି ହୋଇଛି ପାକିସ୍ତାନ । ଜନତାଙ୍କ ବଳରେ ସରକାର ଭାଙ୍ଗିବାକୁ ଇମ୍ରାନ ଚେଷ୍ଟା କରୁଥିବା ବେଳେ ଏହାର କଡ଼ା ଜବାବ ଦେବାକୁ ପ୍ରସ୍ତୁତି ଚଳାଇଛି ପାକିସ୍ତାନ ସେନା । ଇମ୍ରାନଙ୍କ ସରକାର ବିରୋଧୀ ରାଲି ପାକିସ୍ତାନରେ ଭୟଙ୍କର ଗୃହଯୁଦ୍ଧ ସ୍ଥିତି ଉପୁଯାଇପାରେ ବୋଲି ଆଶଙ୍କା କରାଯାଉଛି ।