ହ୍ବିଲଚେୟାରରେ ବସି ହସ୍ପିଟାଲରୁ ସମ୍ବୋଧନ କଲେ ଇମରାନ, କହିଲେ ଜାଣିଥିଲି ଆକ୍ରମଣ ହେବ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଉପରେ ଆକ୍ରମଣ ପରେ ଲାହୋରର ଶୌକତ ଖାନମ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି  । ହ୍ବିଲ ଚେୟାରରେ ବସି ଦେଶକୁ ସମ୍ବୋଧନ କରିଛନ୍ତି ଇମରାନ  । ଶେହବାଜ ସରିଫ ସରକାରକୁ ଟାର୍ଗେଟ କରିବା ସହ ଅନାସ୍ଥା ପ୍ରସ୍ତାବ ଆଣି କିପରି ଇମରାନଙ୍କ ସରକାରକୁ ଗାଦିଚ୍ୟୁତ କରାଗଲା ସେ ନେଇ କ୍ଷୋଭ ପ୍ରକାଶ କରିଛନ୍ତି  ।  ଶୁକ୍ରବାର ଦେଶକୁ ସମ୍ବୋଧିତ କରି ଇମରାନ କହିଛନ୍ତି ତାଙ୍କ ଉପରକୁ ମାଡି ଆସୁଥିବା ବିପଦ ବିଷୟରେ ସେ ପୂର୍ବରୁ ଜାଣିଥିଲେ  । ବଜିରାବାଦ ଓ ଗୁଜରାଟ ମଧ୍ୟରେ ମୋତେ ହତ୍ୟା କରାଯିବା ପାଇଁ ଷଡଯନ୍ତ୍ର ହୋଇଥିଲା  । କିନ୍ତୁ ପାକିସ୍ତାନ ଜନତାଙ୍କ ଭଲ ପାଇବା ଯୋଗୁଁ ସୌଭାଗ୍ୟବଶତଃ ବଞ୍ଚି ଯାଇଛି ବୋଲି ସେ କହିଛନ୍ତି   ।

ସେପଟେ ହତ୍ୟା ଉଦ୍ୟମ ପରେ ସାରା ଦେଶରେ ଜନ ଆକ୍ରୋଶ । ଲାହୋର ଠୁ ରାଓ୍ବଲପିଣ୍ଡି, ଇସଲାମାବାଦରୁ ପଞ୍ଜାବ ଚାରିଆଡେ ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ । ଲୋକେ ରାସ୍ତାକୁ ଓହ୍ଲାଇବା ସହ ଘଟଣାକୁ ନିନ୍ଦା କରିଛନ୍ତି । ଅଭିଯୁକ୍ତ ଏବଂ ତା ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି । କିଛି ସ୍ଥାନରେ ଲୋକେ ରାସ୍ତାକୁ ଓହ୍ଲାଇବା ସହ ନିଆଁ ଜଳାଇଛନ୍ତି ।

ଫରିଜାବାଦରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ବିକ୍ଷୋଭାକାରୀଙ୍କ ଉପରକୁ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥଲେ ପୋଲିସ । ପ୍ରତିବାଦରେ ଲୋକେ ପଥର ମାଡ଼ କରିଥିଲେ । ଲାହୋରରେ ପଞ୍ଜାବ ଗଭର୍ଣ୍ଣରଙ୍କ ଘର ଆଗରେ ଲୋକେ ଜୋରଦାର ପ୍ରତିବାଦ କରିଥିଲେ । ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇବା ସହ ଆଜି ପ୍ରତିବାଦ କରିଥିବାରୁ ସାଧାରଣ ଜନଜୀବନ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଥିଲା । ରାଲି ବେଳେ ଇମ୍ରାନ ଖାନଙ୍କୁ ଉପରରୁ ୩ରୁ ୪ ରାଉଣ୍ଡ ଗୁଳି ଫାୟାରିଂ କରାଯାଇଥିଲା । ଅଭିଯୁକ୍ତକୁ ଗିରଫ କରାଯାଇଛି । ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ବି ପୋଲିସ ଗିରଫ କରିଛି । ସେପଟେ କାହିଁକି ଗୁଳି ଚାଳନା କରିଥିଲା ଏନେଇ ପୋଲିସ ଷ୍ଟେସନରେ ଅଭିଯୁକ୍ତ ସ୍ବିକାର କରିଥିବା ବେଳେ ତାର ଭିଡିଓ ଭାଇରାଲ କରିବା ଅଭିଯୋଗରେ ଥାନା ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି ।