ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ

1 min read

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ୮୨ ବର୍ଷ ବୟସରେ ଦାମୋଦରଙ୍କ ପରଲୋକ ହୋଇଛି । ଦୀର୍ଘଦିନ ଧରି ସେ ଚିକିତ୍ସାଧୀନଥିଲେ । ହୃଦଘାତ ପରେ ସେ ଗୁରୁତର ହୋଇପଡ଼ିଥିଲେ ।ଏକ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିଲା । ବ୍ରେନଡେଡ ପରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।

ଓଡ଼ିଶା ରାଜନୀତିର ପିତାମହ ଭୀଷ୍ମ ଭାବେ ପରିଚିତ ଥିଲେ ଡାକ୍ତର ଦାମୋଦର ରାଉତ । ସେ ୭ ଥର ବିଧାୟକ ଓ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୧୯୭୭ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ସେ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଦାମୋଦର ରାଉତ ୧୯୪୨ ମସିହାର ଜୁଲାଇ ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କପିଳ ଚରଣ ରାଉତ ଓ ପତ୍ନୀଙ୍କ ନାମ ସ୍ନେହା ରାଉତ । ୧୯୭୭ ମସିହାରେ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଦାମୋଦର ରାଉତ ।

ଜନତା ପାର୍ଟି ଟିକେଟରେ ଏରସମା ଆସନରୁ ୧୯୭୭ରୁ ୧୯୮୦ ମସିହା ପର୍ଯ୍ୟନ୍ତ ବିଧାୟକ ହୋଇଥିଲେ । ପରେ ୧୯୮୦ରେ ଜନତା ପାର୍ଟି-ସେକ୍ୟୁଲାର ଟିକେଟରେ ବିଧାନସଭାକୁ ଏରସମାରୁ ବିଜୟୀ ହୋଇଥିଲେ । ୧୯୯୦ରେ ପୁନଶ୍ଚ ଜନତା ଦଳ ଟିକେଟରେ ଏରସମାରୁ ବିଧାନସଭାକୁ ଆସିଥିଲେ ।

ରାଜ୍ୟ ରାଜନୀତିର ଆଗଧାଡ଼ିର ଟାଣୁଆ ନେତା ଥିଲେ ଦାମୋଦର । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୧୯୭୯ ଅକ୍ଟୋବର ୨୫ ତାରିଖରୁ ୧୯୮୦ ଫେବୃଆରୀ ଦୁଇ ତାରିଖ ପର୍ଯ୍ୟନ୍ତ ସେ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଥିଲେ । ପରେ ସୋସିଆଲ ୱେଲଫେୟାର ବିଭାଗ ସହ ୧୯୯୩ରୁ ୧୯୯୫ ମସିହା ପର୍ଯ୍ୟନ୍ତ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଥିଲେ ଡାକ୍ତର ଦାମୋଦର ରାଉତ । ମହିଳା ଓ ଶିଶୁ ବିଭାଗର ମନ୍ତ୍ରୀ ଭାବେ ମଧ୍ଯ କାର୍ଯ୍ଯ କରିଥିଲେ ।

ନବୀନଙ୍କ ମନ୍ତ୍ରିମଣ୍ଡଳରେ ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ, କୃଷି, ସମବାୟ, ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିକାଶ, ସ୍ବାସ୍ଥ୍ଯ, ଅବକାରୀ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଏହାଛଡ଼ା ବିଧାନସଭାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କମିଟିରେ ମଧ୍ଯ ଦାମୋଦର ସ୍ଥାନ ପାଇଥିଲେ । ବିଜୁ ବାବୁଙ୍କ ସହିତ ଅତି ଘନିଷ୍ଠ ଥିଲେ ଦାମୋଦର । ବିଜୁଙ୍କ ପରାମର୍ଶରେ ସେ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ । ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ ଓଡ଼ିଶା ରୈଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।