ଭିଜିଲାନ୍ସ ଜାଲରେ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଜାରି ରହିଛି ।

ଭୁବନେଶ୍ବର ଗ୍ୟାରେଜ ଛକରେ ୨ଟି ଦାମୀ କୋଠା ଠାବ ହୋଇଛି । ୪ ହଜାର ବର୍ଗଫୁଟର ଜାଗାରେ ଦୁଇ ମହଲା କୋଠା ରହିଛି । ଯୁଆଡେ ଦେଖିବ ଖାଲି ରୁମ୍ । ଘରର ଇଣ୍ଟେରିଏର ଡିଜାଇନ ସାଙ୍ଗକୁ ଦାମୀ ସୋଫା ସେଟ, ଦାମୀ ଖଟ ଓ ମଡୁଲାର କିଚେନ ଲାଗିଛି । ଲକରରେ ସୁନା ଓ ଟଙ୍କା ଥିବା ଭିଜିଲାନ୍ସ ଅନୁମାନ କରିଛି ।

ରାଧାକ୍ରିଷ୍ଣ ନଗରରେ ଆଲିଶାନ ୩ ମହଲା କୋଠାରୁ ଦୁଇଟି ରୁପା ହାତୀ ମିଳିଛି । ଏହି ହାତୀରେ ରୁପାର ପ୍ରଲେପ ଦିଆଯାଇଥିବା ସନ୍ଦେହ କରୁଛି ଭିଜିଲାନ୍ସ । ରେଡ୍ ବେଳେ ୨୦ଟି ଏଲଆଇସି, ୧୫ଟି ବ୍ୟାଙ୍କ ଖାତା ଓ ପାସ ବୁକ ଠାବ ହୋଇଛି ।

ଭୁବନେଶ୍ବରରେ ଏବେ ୬ଟି ଘର ଠାବ ହୋଇଛି । ଗ୍ୟାରେଜ ଛକରେ ଦୁଇଟି କୋଠା, ଭୀମଟାଙ୍ଗୀ, ଶିଶୁପାଳ ଗଡ଼, ଲୁଇସ ରୋଡ଼, ରବି ଟକିଜରେ ଘର ରହିଛି । ସେହିପରି ନିମାପଡ଼ା ଖେଲାରରେ ୩୦ଟି ଦୋକାନ ଘର ଓ ଫାର୍ମ ହାଉସ ରହିଛି । ଘରର ଇଣ୍ଟେରିୟର ଡିଜାଇନର ମୂଲ୍ୟ ଜାଣିବା ପାଇଁ ଆରକିଟେକଚର ଇଞ୍ଜିନିୟରଙ୍କୁ ଡାକିଛି ଭିଜିଲାନ୍ସ । ରେଡ୍‌ରେ ୨ ଡିଏସପି, ୬ ଇନସ୍ପେକ୍ଟରଙ୍କ ସହ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି ।