ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଜୟାପ୍ରଦାଙ୍କୁ ୬ ମାସ ଜେଲ୍

ଚେନ୍ନାଇ: ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଜୟାପ୍ରଦାଙ୍କୁ ଚେନ୍ନାଇର ଏକ କୋର୍ଟ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଚେନ୍ନାଇର ରାଇପେଟାଠାରେ ତାଙ୍କ ମାଲିକାନାରେ ଥିବା ଏକ ସିନେମା ଥିଏଟରର କର୍ମଚାରୀଙ୍କ ଦ୍ୱାରା ଦାୟର ପିଟିସନ ମାମଲାରେ ତାଙ୍କୁ ୫ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି ।

ଚେନ୍ନାଇର ରାମ କୁମାର ଓ ରାଜା ବାବୁ ଏହି ସିନେମା ହଲ୍ ଚଳାଉଛନ୍ତି । ଥିଏଟର କର୍ମଚାରୀଙ୍କ ଇଏସଆଇ ପୈଠ କରିବାରେ ମ୍ୟାନେଜମେଣ୍ଟ ବିଫଳ ହେବାରୁ ସମସ୍ୟା ଆରମ୍ଭ ହୋଇଥିଲା, ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ଅଭିନେତ୍ରୀ କର୍ମଚାରୀଙ୍କୁ ପୂରା ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ସହ ମାମଲା ଖାରଜ କରିବାକୁ କୋର୍ଟରେ ଆବେଦନ କରିଥିଲେ । ତେବେ ଶ୍ରମ ସରକାରୀ ବୀମା ନିଗମ ତାଙ୍କ ଆବେଦନକୁ ବିରୋଧ କରିବାରୁ ଜୟାପ୍ରଦା ଓ ଏହି ମାମଲା ସହ ଜଡ଼ିତ ଅନ୍ୟ ୩ ଜଣଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି । ସେହିପରି ୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ କୁହାଯାଇଛି । ୨୦୧୯ରେ ଜୟାପ୍ରଦା ରାମପୁରରୁ ବିଜେପି ଟିକେଟରେ ଲଢିଥିଲେ ବି ପରାଜିତ ହୋଇଥିଲେ ।