ଖଲ୍ଲିକୋଟର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ

1 min read

ନନ୍ଦିଘୋଷ ବ୍ୟୁରୋ: ଆଉନାହାନ୍ତି ପ୍ରଖ୍ୟାତ ରାଜନୀତିଜ୍ଞ, ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ। ୮୬ ବର୍ଷ ବୟସରେ ଚେନ୍ନାଇରେ ଦେହାନ୍ତ ହୋଇଛି। ୧୦ ଥରର ବିଧାୟିକା ଥିବା ସୁଜ୍ଞାନ କୁମାରୀ ଏକାଧାରର ନେତ୍ରୀ, ସମାଜସେବୀ, ଆଶୁଲେଖିକା, ଷ୍ଟାମ୍ପ ସଂଗ୍ରାହକ। ୧୯୩୭ ମସିହା ଅଗଷ୍ଟ ୫ରେ ଜନ୍ମଗ୍ରହଣ କରିଥିଲେ ସୁଜ୍ଞାନ। ପିତା ରାଜା ଆର.ଭି.ଏମ ନୀଳାଦ୍ରି ଦେଓଙ୍କ କନ୍ଯା ଭାବେ ସେ ରାଜକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ବି ସମାଜସେବାକୁ କରିଥିଲେ ଜୀବନର ବ୍ରତ। ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓ ବହୁବର୍ଷ ଆଗରୁ ଇହଲୀଳା ତ୍ୟାଗ କରିଥିଲେ।

୧୯୬୧ ମସିହାରେ ସେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ୧୯୬୧, ୧୯୭୪, ୧୯୭୭, ୧୯୮୫, ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ବିଧାୟିକା ନିର୍ବାଚିତ ହୋଇଥିଲେ । ପ୍ରଥମ ଥର ପାଇଁ ସେ ୧୯୬୧-୬୭ ପର୍ଯ୍ୟନ୍ତ ଖଲ୍ଲିକେ।ଟ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ତରଫରୁ ବିଧାୟିକା ନିର୍ବାଚିତ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ପୁଣି ଥରେ ଉତ୍କଳ କଂଗ୍ରେସ ତରଫରୁ ୧୯୭୪-୧୯୭୭ ପର୍ଯ୍ୟନ୍ତ ବିଧାୟିକା ନିର୍ବାଚିତ ହୋଇଥିଲେ ।ତୃତୀୟ ଥର ପାଇଁ ଜନତାର ପ୍ରାର୍ଥୀ ରୂପେ ୧୯୭୭-୧୯୮୦ ପର୍ଯ୍ୟନ୍ତ ସେ ଖଲ୍ଲିକୋଟର ବିଧାୟିକା ନିର୍ବାଚିତ ହୋଇଥିଲେ । ଚତୁର୍ଥ ଥର ପାଇଁ ଜନତା ପାର୍ଟି ତରଫରୁ ୧୯୮୫-୯୦ ପର୍ଯ୍ୟନ୍ତ ବିଧାୟିକା ନିର୍ବାଚିତ ହୋଇଥିଲେ ।

ସେ ୧୯୯୦-୯୫ ପର୍ଯ୍ୟନ୍ତ ଜନତା ଦଳ ତରଫରୁ ଖଲ୍ଲିକୋରୁ ଚତୁର୍ଥ ଥର ପାଇଁ ବିଧାୟିକା ନର୍ବ।ଚିତ ହୋଇଥିଲେ । ସେ ୧୯୯୫-୨୦୦୦ ପର୍ଯ୍ୟନ୍ତ ପୁଣି ଥରେ ଜନତା ଦଳ ତରଫରୁ ନିର୍ବାଚନ ଲଢି ବିଧାୟିକା ନିର୍ବ।ଚିତ ହୋଇଥିଲେ । ୨୦୦୦ରୁ ୨୦୦୯ ଯାଏ ବିଜୁ ଜନତା ଦଳର ବିଧାୟିକା ଥିଲେ ସୁଜ୍ଞାନ। ୨୦୦୯ରୁ ୨୦୧୯ ଯାଏ ବିଜୁ ଜନତା ଦଳ ପକ୍ଷରୁ ସେ ଥିଲେ କବିସୂର୍ଯ୍ୟନଗର ବିଧାୟିକା। ପ୍ରବାଦପୁରୁଷ ବିଜୁବାବୁଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଅଧ୍ୟକ୍ଷ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ଚେନ୍ନାଇରେ ଚିକିତ୍ସାଧୀନ ସୁଜ୍ଞାନଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତ୍ରୀ ତଥା ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓ ଗଞ୍ଜାମ ରାଜନୀତିର ଜଣେ ସମ୍ମାନନୀୟ ବ୍ୟକ୍ତିତ୍ୱ। ବିଜୁ ପଟ୍ଟନାୟକଙ୍କ ସମୟରୁ ସେ ରାଜନୀତିରେ ଯୋଗ ଦେଇଥିଲେ।