ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ

1 min read

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ କମଳା ଦାସ । ଫୁସଫୁସ୍ ଜନିତ ରୋଗରେ ଆକ୍ରାନ୍ତ ଥିଲେ କମଳା । ସେ ଦୀର୍ଘଦିନ ହେବ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

କମଳା ଦାସ ୧୬ ଅଗଷ୍ଟ ୧୯୪୫  ମସିହାରେ ଜନ୍ମ ଗ୍ରହଣ କରିଥିଲେ । କମଳା ଦାସ ଓଡିଶା ରାଜନୀତିରେ ଜନତା ଦଳର ଜଣେ କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । କମଳା ଦାସ ଭୋଗରାଇର ପୂର୍ବତନ ବିଧାୟିକା ଭାବରେ କାର୍ଯ୍ୟ କରିବା ସହ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୦ ମସିହାରେ ପ୍ରଥମଥର ପାଇଁ ସେ ଜନତା ଦଳ ଟିକେଟ୍‌ରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟ ମଧ୍ୟ ହୋଇଥିଲେ। ଏହାପରେ ସେ ୧୯୯୫-୨୦୦୦ ମସିହାରେ ମଧ୍ୟ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

କମଳା ଦାସ ଓଡ଼ିଶା ବିଧାନ ସଭାରେ ବିଜୁ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ୧୯୯୦ରୁ ୧୯୯୫ ଯାଏଁ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । କମଳା ଦାସ ନବୀନ ସରକାରରେ ମହିଳା ଓ ଶିଶୁ ବିକାଶ କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ।