ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ, କିଛି ଦିନ ପୂର୍ବେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଓ ବାସୁଦେବପୁର ପୂର୍ବତନ ବିଧାୟକ ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତ । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି । ସେ ମେ’ ୪ ତାରିଖରେ କରୋନା ସଂକ୍ରମିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସେ କରୋନା ସଂକ୍ରମଣରୁ ମୁକ୍ତ ହୋଇସାରିଥିଲେ । କିନ୍ତୁ କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ବିଶେଷକରି ଫୁସ୍‌ଫୁସ୍ ଓ ରକ୍ତଚାପ ଜନିତ ସମସ୍ୟା ଯୋଗୁଁ ଚିକିତ୍ସାଧୀନ ଥିଲେ । ଆଜି ସକାଳୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଘଟିଥିବା ବେଳେ ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁତ୍ର ହେଉଛନ୍ତି ବିଜୟଶ୍ରୀ ରାଉତରାୟ।  ବିଜୟଶ୍ରୀ ୨ ଥର ଜନତା ଦଳ ଟିକେଟରେ ଓ ୪ଥର ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୬ ଥର ବାସୁଦେବପୁର ନିର୍ବାଚନ ମଣ୍ଡଳିର ପ୍ରତିନିଧିତ୍ୱ କରିଥିଲେ । ୧୯୫୩ ମସିହାରେ ଜନ୍ମିତ ବିଜୟଶ୍ରୀ ଭୂଗୋଳରେ ଏମଏ କରିଥିଲେ । ୧୯୮୦ ମସିହାରେ ସେ ସକ୍ରିୟ ରାଜନୀତିରେ ସାମିଲ ହୋଇଥିଲେ । ରେଭେନ୍ସା କଲେଜରେ ଅଧ୍ୟାପକ ଥିବା ବିଜୟଶ୍ରୀ ୧୯୮୦ରେ ଚାକିରିରୁ ଇସ୍ତଫା ଦେଇ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ । ପ୍ରଥମ ଥର ପାଇଁ ୧୯୯୦ରେ ସେ ଭଦ୍ରକର ବାସୁଦେବପୁରରୁ ନିର୍ବାଚନ ମଣ୍ଡଳିରୁ ଜନତା ଦଳ ଟିକେଟରେ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ । ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେଡିର ନେତ୍ରୀ ଶ୍ରୀମୟୀ ମିଶ୍ର ଶୋକବ୍ୟକ୍ତ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବିଜୟଶ୍ରୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କ ଶୋକ: ‘ଜନପ୍ରିୟ ନେତା ଓ ଅମାୟିକ ବ୍ୟକ୍ତିତ୍ୱ ଥିଲେ’

Leave a Reply