ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ନାୟକଙ୍କ ପରଲୋକ

କାକଟପୁର: କାକଟପୁରର ପୂବର୍ତନ ବିଧାୟକ ସୁରେନ୍ଦ୍ର ନାଥ ନାୟକଙ୍କ ପରଲୋକ । ୯୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ସକାଳୁ ସୁରେନ୍ଦ୍ରଙ୍କ ପରଲୋକ ହୋଇଥିବା ନେଇ ପୁଅ ସ୍ବାଧୀନ କୁମାର ନାୟକ ସୂଚନା ଦେଇଛନ୍ତି ।

କାକଟପୁର ରାଜନୀତିରେ ଜଣେ ଲୋକପ୍ରିୟ ନେତା ଥିଲେ ସୁରେନ୍ଦ୍ର । ସେ କାକଟପୁରରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଅସ୍ତରଙ୍ଗ ପଞ୍ଚାୟତ ସମିତିର ଚେୟାରମ୍ଯାନ ଭାବେ ସେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୭୧ ମସିହାରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୭୭ ଓ ୧୯୮୫ ମସିହାରେ ଜନତା ପାର୍ଟିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ୧୯୯୦ରେ ଜନତା ଦଳ, ୧୯୯୫ ଉପନିର୍ବାଚନରେ ଜନତା ଦଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଏହାପରେ ୨୦୦୦ ଓ ୨୦୦୪ ମସିହାରେ ବିଜେଡି ଟିକେଟରେ କାକଟପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁରେନ୍ଦ୍ର । ଏହାସହିତ ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ମଧ୍ଯ ଦାୟିତ୍ବ ତୁଲାଇଥିଲେ । ୧୯୭୭ ମସିହାରେ ସେ ବିଧାନସଭାରେ ଉପବାଚସ୍ପତି ଭାବେ ଦାୟିତ୍ବ ତୁଲାଇଥିଲେ । ୧୯୯୦ରେ ଅବକାରୀ ଓ ରାଜସ୍ବ ବିଭାଗ, ୨୦୦୦ ମସିହାରେ ପଞ୍ଚାୟତିରାଜ, ୨୦୦୨ରେ ଗଣଶିକ୍ଷା ଓ ୨୦୦୪ରେ କୃଷି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଶୋକ

ସୁରେନ୍ଦ୍ରନାଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍ବର୍ଗତ ନାୟକ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ପ୍ରଶାସକ ଥିଲେ । ସାଧାରଣ ଲୋକଙ୍କ ଭିତରେ ସେ ଅତ୍ୟନ୍ତ ପ୍ରିୟପାତ୍ର ଥିଲେ । ବିଧାୟକ ତଥା ମନ୍ତ୍ରୀ ଭାବରେ ସେ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ଉନ୍ନତିରେ ଗୁରୁତ୍ଵ ପୂର୍ଣ୍ଣ ଅବଦାନ ରଖିଥିଲେ । ତାଙ୍କର ପରଲୋକ ରାଜ୍ୟ ପାଇଁ ଏକ ବଡ କ୍ଷତି । ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସଂତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।

ନବୀନ ପଟ୍ଟନାୟକଙ୍କ ଶୋକ

ସେହିପରି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସୁରେନ୍ଦ୍ରନାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ନବୀନ କହିଛନ୍ତି, କାକଟପୁରବାସୀଙ୍କ ସେବା ଓ କଲ୍ୟାଣ ଦିଗରେ ତାଙ୍କ ଉତ୍ସର୍ଗୀକୃତ ଉଦ୍ୟମ ସର୍ବଦା ସ୍ମରଣୀୟ । ଜଣେ ଦକ୍ଷ ରାଜନେତା ଏବଂ ଜନପ୍ରତିନିଧି ଭାବେ ତାଙ୍କ ଲୋକାଭିମୁଖୀ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ନବୀନ ସମବେଦନା ଜଣାଇଛନ୍ତି ।