ନନ୍ଦିଘୋଷ ବ୍ୟୁରୋ: ପରଲୋକରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ପ୍ରତିଷ୍ଠାତା ଏବଂ ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ । ୮୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ସେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ୱିଟରରେ ସୂଚନା ଦେଇଛନ୍ତି । ଗତ ମାସେରୁ ଅଧିକ ସମୟ ଧରି ଶିବୁ ସୋରେନ୍ ଅସୁସ୍ଥ ଥିଲେ । ଶେଷରେ ଆଜି ସକାଳ ୮:୪୮ ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କୁ ଗଙ୍ଗାରାମ ହସ୍ପିଟାଲର ନେଫ୍ରୋଡ ବିଭାଗରେ ଭର୍ତ୍ତି କରାଯାଇଥିଲା। ତାଙ୍କର କିଡନୀ ସମ୍ବନ୍ଧୀୟ ସମସ୍ୟା ଥିଲା। ଏହା ବ୍ୟତୀତ ତାଙ୍କ ଶରୀରରେ ଅନ୍ୟ କିଛି ସମସ୍ୟା ମଧ୍ୟ ଥିଲା। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା।
ଶିବୁ ସୋରେନ ଝାଡ଼ଖଣ୍ଡର ଜଣେ ମହାନ ନେତା ଥିଲେ । ସ୍ୱତନ୍ତ୍ର ରାଜ୍ୟ ପାଇଁ ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ରାଜ୍ୟ ଗଠନ ପରେ ସେ ତିନିଥର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରତିଷ୍ଠା କରିଥିଲେ। ସେ ସାତ ଥର ଲୋକସଭା ସାଂସଦ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ। ୨୦୦୪ ମସିହାରେ ସେ ମନମୋହନ ସିଂହ ସରକାରରେ କେନ୍ଦ୍ର କୋଇଲା ମନ୍ତ୍ରୀ ମଧ୍ୟ ଥିଲେ।
ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ବୋହୂ କଳ୍ପନା ସୋରେନ ତାଙ୍କ ପାଖରେ ଦିଲ୍ଲୀରେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ପୁଅ ହେମନ୍ତ ସୋରେନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, “ସମ୍ମାନିତ ଦିଶୋମ ଗୁରୁଜୀ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି। ଆଜି ମୁଁ ଶୂନ୍ୟ ହୋଇଗଲି।”

