ମହିଳା ହକି ଟିମ୍‌ର ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ପରାଜୟ ନେଇ ଭାବବିହ୍ୱଳ ହେଲେ ଦିଲ୍ଲୀପ ତିର୍କୀ

ଭୁବନେଶ୍ୱର: ଯେବେ ବ୍ଲୁ ଟର୍ଫରେ ଗୋଲ୍ ବର୍ଷା ହୁଏ, ଯେବେ ବିପକ୍ଷ ଟିମ୍‌କୁ ମାତ୍ ଦିଅନ୍ତି ଭାରତୀୟ ହକି ଖେଳାଳି, ସେବେ ଛାତି କୁଣ୍ଢେମୋଟ ହୋଇଯାଏ । ଏହି ସମୟରେ ଟିଭି ଆଗରେ ବସି ଟିମ୍ ଖେଳାଳିଙ୍କୁ ସାବାସି ଦିଅନ୍ତି ଓଡ଼ିଆ ପୁଅ ତଥା ହକି ଇଣ୍ଡିଆର ପୂର୍ବତନ ଅଧିନାୟକ ଦିଲିପ ତିର୍କୀ । ଓଡ଼ିଶାର ଏହି ସୁଯୋଗ୍ୟ ସନ୍ତାନ ହକି ପାଇଁ ନିଜ ଜୀବନ ଉତ୍ସର୍ଗିକୃତ କରିଛନ୍ତି । ଖେଳ ଆରମ୍ଭ ହେବାମାତ୍ରେ ସମସ୍ତ ସଟ୍ ଉପରେ ଥାଏ ଦିଲ୍ଲୀପଙ୍କ ନଜର । ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେ ନେଇ ଚିନ୍ତାରେ ଥାଆନ୍ତି ଦିଲ୍ଲୀପ । ଆଜି ଯେତେବେଳେ ମହିଳା ହକି ଟିମ୍ ଗ୍ରେଟ ବ୍ରିଟେନ୍ ଠାରୁ ପରାସ୍ତ ହେଲେ , ସେତେବେଳେ ସମସ୍ତେ ଦିଲ୍ଲୀପଙ୍କ ପ୍ରତିକ୍ରିୟାକୁ ଚାହିଁ ବସିଥିଲେ । ହେଲେ କିଛି କହିବା ଆଗରୁ ଦିଲ୍ଲୀପଙ୍କ ଆଖିରେ ଥିଲା ଲୁହ । କାନ୍ଦି କାନ୍ଦି ଲଢୁଆ ଖେଳାଳିଙ୍କ ପ୍ରଦର୍ଶନକୁ ସେ ସାବାସି ଦେଇଥିଲେ । କୋହଭରା କଣ୍ଠରେ ଦିଲ୍ଲୀପ ରଖିଥିଲେ ନିଜ ପ୍ରତିକ୍ରିୟା । ଏଭଳି ବୋଧେ କମ୍ ସମୟ ଆସେ ଯେତେବେଳେ ଜଣେ ଅବସରପ୍ରାପ୍ତ ଖେଳାଳି ନିଜ ଖେଳାଳିଙ୍କ ପାଇଁ କାନ୍ଦି ପକାଏ । ହକି ଓଡ଼ିଶାର ହୃଦୟ ହୋଇଥିବାବେଳେ ଦିଲ୍ଲୀପ ହେଉଛନ୍ତି ଏହାର ଏକ ପ୍ରତୀକ । ଭାରତୀୟ ହକି ଟିମ୍ ପାଇଁ ଦିଲ୍ଲୀପ ଅନେକ ମ୍ୟାଚ୍ ଖେଳିଥିବାବେଳେ ଅଧିନାୟକ ଦାୟିତ୍ୱ ତୁଲାଇ ଦଳ ପାଇଁ ସେ ଗୌରବ ଆଣିଛନ୍ତି ।

Leave a Reply