‘ପାକିସ୍ତାନ ଜାଣିଥିଲା, ଅଭିନନ୍ଦନଙ୍କୁ ନଛାଡ଼ିଲେ ପୁରା ବ୍ରିଗେଡ୍ ଧ୍ୱଂସ କରିଥାନ୍ତା ଭାରତ’: ପୂର୍ବତନ ବାୟୁସେନା ମୁଖ୍ୟ
1 min readନୂଆଦିଲ୍ଲୀ: ୨୬ ଫେବୃଆରୀ ୨୦୧୯ । ଏବେ ବି ସେହି ଦିନ କଥା ସମସ୍ତଙ୍କୁ ମନେଥିବ ନିଶ୍ଚୟ । କାରଣ ଏହି ୨୬ ତାରିଖରେ ଭାରତର ବୀର ପୁତ୍ର ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ମୁକ୍ତ କରିଥିଲା । ଅଭିନନ୍ଦନଙ୍କ ମୁକ୍ତି ପାଇଁ ସାରା ଦେଶ ସତେ ଯେମିତି ଚାତକ ଭରି ଚାହିଁ ରହିଥିଲା । କାରଣ ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ପକ୍ଷରୁ ବନ୍ଦୀ କରାଗଲା ପରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆଉ ତୁରନ୍ତ ଅଭିନନ୍ଦନଙ୍କୁ ମୁକ୍ତ କରିବା ପାଇଁ ଚେତାବନୀ ଦିଆଯାଇଥିଲା । ସେହି ଭୟରେ ପାକିସ୍ତାନ ଅଭିନନ୍ଦନଙ୍କୁ ମୁକ୍ତ କରିଦେଇଥିଲା ।
ହେଲେ ଏହାରି ଭିତରେ ଗୋଟିଏ ଛୋଟିଆ କାହାଣି ରହିଛି । ଯାହାକି ସେତେବେଳର ବାୟୁସେନା ମୁଖ୍ୟ ବିଏସ୍ ଧନ୍ଓ୍ୱା ଏନେଇ ଖୁଲାସା କରିଛନ୍ତି । ସେ କହିଛନ୍ତି, ‘ଅଭିନନ୍ଦନ ବର୍ତ୍ତମାନ ପାକିସ୍ତାନରେ ବନ୍ଦୀ ଥିବା ବେଳେ ପୁରା ପାକିସ୍ତାନ ଭୟରେ ଥରୁଥିଲା । ଏକଥା ଯେଉଁ ପାକିସ୍ତାନ ସାଂସଦ କହିଛନ୍ତି ତାହା ସତ । କାରଣ ସେ ଜାଣିଥିଲେ ଭାରତୀୟ ବାୟୁସେନାର ଆଭିମୁଖ୍ୟ କ’ଣ ଥିଲା । ଭାରତୀୟ ବାୟୁସେନା ଯେଉଁଭଳି ଆଗ୍ରେସିଭ୍ ମୁଡ୍ରେ ଥିଲା ଏବଂ ଯେଉଁ ପୋଜିସନ୍ରେ ଥିଲା ତାକୁ ଦେଖି ପାକିସ୍ତାନ ଭୟଭୀତ ହେବା ସ୍ୱାଭାବିକ୍ । ପାକିସ୍ତାନର ପୁରା ବ୍ରିଗେଡ୍କୁ ଧ୍ୱଂସ କରିବା ପାଇଁ ଭାରତୀୟ ବାୟୁସେନା ସେତେବେଳେ ପ୍ରସ୍ତୁତ ଥିଲା । ଏହି କଥା ପାକିସ୍ତାନ ସେନା ମୁଖ୍ୟ ଜାଣିପାରିଥିଲେ । ତେଣୁ ସେ ଗଭୀର ଚିନ୍ତାରେ ପଡ଼ିଯାଇଥିଲେ’ ।
ଅନ୍ୟପଟେ ୧୯୯୯ରେ ପାକିସ୍ତାନ ଠିକ୍ ଏଭଳି ଏକ ମାମଲାରେ ଭାରତ ସହ ବିଶ୍ୱାସଘାତ କରିଥିଲା । ସେହି ଦୃଷ୍ଟିରୁ ଭାରତୀୟ ବାୟୁସେନା ମଧ୍ୟ ସମ୍ପୂର୍ଣ୍ଣ ସତର୍କ ଥିଲା । ଯଦି ଅଭିନନ୍ଦନଙ୍କୁ ମୁକ୍ତ କରିନଥାନ୍ତ ପାକିସ୍ତାନ ତେବେ ଆକ୍ରମଣ ସୁନିଶ୍ଚିତ ଥିଲା ବୋଲି କହିଛନ୍ତି ବିଏସ୍ ଧନଓ୍ୱା । ପାକିସ୍ତାନ ଭଲ ଭାବେ ଜାଣିଛି ଭାରତର ଶକ୍ତି କେତେ ଆଉ ସେ ପାକିସ୍ତାନର କ’ଣ କ୍ଷତି କରିପାରେ ! ତେଣୁ ଅଭିନନ୍ଦନଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ଖାଲି ସେତିକି ନୁହେଁ ବିଏସ୍ ଧନଓ୍ୱା ଆହୁରି କହିଛନ୍ତି ଯେ, ସେ ଅଭିନନ୍ଦନଙ୍କ ପିତାଙ୍କୁ ଜବାବ ଦେଇଥିଲେ ତାଙ୍କ ପୁଅକୁ ସେ ନିଶ୍ଚୟ ଫେରାଇ ଆଣିବେ ।
#WATCH "I told Abhinandan's father we'll definitely get him back…The way he (Pak MP) is saying is because our military posture was offensive… we were in position to wipe out their forward brigades. They know our capability: Former IAF Chief, Air Chief Marshal(Retd.) BS Dhanoa https://t.co/Cmv1eb5lSV pic.twitter.com/KOMEWPplwY
— ANI (@ANI) October 29, 2020
ସୂଚନାଯୋଗ୍ୟ, ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ ଏହାର ପ୍ରତିଶୋଧ ନିଆଯାଇଥିଲା । ପାକିସ୍ତାନର ବାଲାକୋଟ୍ରେ ଭାରତ ଏୟାର ଷ୍ଟ୍ରାଇକ୍ କରିଥିଲା ଓ ଏଥିରେ ଅନେକ ଆତଙ୍କବାଦୀ ଅଡ୍ଡା ଧ୍ୱଂସ ହୋଇଥିଲା । ଏହାର ଠିକ୍ ପରଦିନ ପାକିସ୍ତାନ ପକ୍ଷରୁ ଭାରତ ଆଡ଼କୁ ଯୁଦ୍ଧ ବିମାନ ପଠାଯାଇଥିଲା । ଯାହାକୁ ମୁକାବିଲା କରିବାକୁ ଯାଇ ଭାରତୀୟ ବାୟୂସେନାର ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ପାକିସ୍ତାନ ସୀମାରେ ଖସି ପଡ଼ିଥିଲେ । ଏହି ସମୟରେ ପାକିସ୍ତାନ ସେନା ଅଭିନନ୍ଦନଙ୍କୁ ବନ୍ଦୀ କରିଥିଲା । ହେଲେ ଭାରତର ଚେତାବନୀ ପରେ ମାତ୍ର ୪୮ ଘଣ୍ଟା ଭିତରେ ଅଭିନନ୍ଦନଙ୍କୁ ସସମ୍ମାନେ ଭାରତକୁ ହସ୍ତାନ୍ତର କରିଥିଲା ।