ବଟି ଆଦାୟ ମାମଲା: ଇଡିରେ ହାଜର ହେଲେ ଅନୀଲ ଦେଶମୁଖ

1 min read

ମୁମ୍ବାଇ: ଶେଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ଏହା ପୂର୍ବରୁ ୫ ଥର ତାଙ୍କୁ ସମନ ହୋଇଥିଲା । ଆଜି ସକାଳ ପ୍ରାୟ ୧୧ଟା ୪୦ରେ ସେ ଇଡି କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ବଟି ଆଦାୟ ମାମଲାରେ ତାଙ୍କୁ ପଚରାଉଚରା ଚାଲିଛି । ଇଡି ଆସିଷ୍ଟାଣ୍ଡ ଡାଇରେକ୍ଟର ତାସିନ ସୁଲତାବ ତାଙ୍କୁ ପଚରାଉଚରା କରୁଛି । ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂ ଅଭିଯୋଗ କରିଥିଲେ ଯେ, ଦେଶମୁଖ ଗୃହମନ୍ତ୍ରୀ ଥିବା ବେଳେ ୧୦୦ କୋଟି ଟଙ୍କା ଆଦାୟ କରିଥିଲେ ।

ଦେଶମୁଖ ଇଡିରେ ହାଜର ହେବାକୁ ନେଇ ବିଜେପି ନେତା କିରିଟ ସୋମାୟା କଟାକ୍ଷ କରିଛନ୍ତି । ସେ କହିଛନ୍ତି- ଶେଷରେ ତାଙ୍କୁ (ଅନୀଲ ଦେଶମୁଖ) ଇଡିରେ ହାଜର ହେବାକୁ ପଡ଼ିଲା । ୧୦୦ କୋଟି ଟଙ୍କାର ହିସାବ ଦେବାକୁ ତାଙ୍କୁ ୧୦୦ ଦିନ ଇଡ ହେପାଜତରେ ରହିବାକୁ ପଡ଼ିବ ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚରେ ପରମବୀର ସିଂଙ୍କୁ ମୁମ୍ବାଇ ପୋଲିସର କମିଶନର ପଦରୁ ହଟାଇ ହୋମଗାର୍ଡ ଡିଜି କରାଯାଇଥିଲା । ଏହାପରେ ପରମବୀରଙ୍କ ଏକ ଚିଠି ପଦାକୁ ଆସିଥିଲା । ଚିଠିଟି ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିଲେ । ଚିଠିରେ ସେ ଦାବି କରିଥିଲେ ଯେ, ଅନୀଲ ଦେଶମୁଖ ଗୃହମନ୍ତ୍ରୀ ଥିବାବେଳେ ସଚିନ୍ ଓ୍ବାଜେଙ୍କୁ ପ୍ରତିମାସ ୧୦୦ କୋଟି ଦେବାକୁ ଦାବି କରିଥିଲେ । ଏହାସହ ପୋଲିସ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ପାଇଁ ଦେଶମୁଖ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା ।

ଇଡିରେ ହାଜର ହେବା ପରେ ଏହା ନିଶ୍ଚିତ ଯେ ତାଙ୍କୁ ପ୍ରଶ୍ନର ପାହାଡର ସମ୍ମୁଖୀନ ହେବାକୁ ପଡ଼ିବ । ବଟି ଆଦାୟର ଗୁମର ଖୋଲିବାକୁ ଇଡି ତାଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିପାରେ ।

Leave a Reply