ଖଣିଜ ପଦାର୍ଥର ରପ୍ତାନି ଶୁଳ୍କ ହ୍ରାସ ନହେଲେ କମିପାରେ ଓଡ଼ିଶାର ଆୟ
1 min read
ଭୁବନେଶ୍ବର: ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବା ପୂର୍ବର୍ରୁ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଛନ୍ତି । ବଜେଟକୁ ଅଧିକ ଲୋକାଭିମୁଖୀ କରିବାକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ବିଶେଷଜ୍ଞଙ୍କ ପରାମର୍ଶ ନେଇଛନ୍ତି । ଆଞ୍ଚଳିକ ବୈଷମ୍ୟକୁ ଦୂର କରିବା ପାଇଁ ବଜେଟରେ ଆବଣ୍ଟିତ ଅର୍ଥକୁ ଶତ ପ୍ରତିଶତ ଖର୍ଚ୍ଚ କରିବାର ଆବଶ୍ୟକତା ରହିଛି।
ଏହାଦ୍ୱାରା ସରକାରୀ ଯୋଜନା ସଫଳ ହେବ ଏବଂଓଡ଼ିଶାର ସାମଗ୍ରିକ ବିକାଶ ଘଟିବ ବୋଲି ପୂର୍ଣ୍ଣାଙ୍ଗ ବଜେଟର ପ୍ରସ୍ତୁତି ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ କହିଛନ୍ତି। ସେହିଭଳି ରାଜ୍ୟରେ ଶିଳ୍ପାୟନ ଅଭିବୃଦ୍ଧି ପାଇଁ ଲ୍ୟାଣ୍ଡ ବ୍ୟାଙ୍କି ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଉଚିତ। ଶିଳ୍ପାୟନ ପାଇଁ ଚିହ୍ନିଟ ଜମିକୁ ସୁରକ୍ଷିତ ରଖିବା ନିମନ୍ତେ ରାଜସ୍ୱ ବିଭାଗକୁ ଅର୍ଥ ଆବଣ୍ଟନ କରି ବିଭିନ୍ନ ତହସିଲ ଅଫିସ ମାଧ୍ୟମରେ ପାଚେରି ନିର୍ମାଣ କରାଯାଉ।
ଏହାସହ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ଖଣିଜ ପଦାର୍ଥ ଉପରେ ଲାଗୁ ହୋଇଥିବା ଅତ୍ୟଧିକ ରପ୍ତାନି ଶୁଳ୍କକୁ ତୁରନ୍ତ ହ୍ରାସ କରାଯାଉ। ନଚେତ ଓଡ଼ିଶା ରାଜସ୍ୱ ଆଦାୟ ଯଥେଷ୍ଟ ହ୍ରାସ ପାଇବ ବୋଲି ଶ୍ରୀଯୁକ୍ତ ଘଡ଼ାଇ ସତର୍କ କରାଇଛନ୍ତି। ଗତ ଆର୍ଥିକ ବର୍ଷରେ ଖଣିଜ ପଦାର୍ଥ ରପ୍ତାନିରୁ ଓଡ଼ିଶାକୁ ପ୍ରାୟ ୪୮ହଜାର କୋଟି ଟଙ୍କା ମିଳିଥିଲା। ଯାହାକି ୨୦୨୦-୨୧ଆର୍ଥିକ ବର୍ଷ ତୁଳନାରେ ୨୫୨ପ୍ରତିଶତ ଅଧିକ ରହିଥିଲା। କିନ୍ତୁ ଏବେ କେନ୍ଦ୍ର ସରକାର ଖଣିଜ ପଦାର୍ଥ ଉପରେ ରପ୍ତାନି ଶୁଳ୍କକୁ ଯଥେଷ୍ଟ ବୃଦ୍ଧି କରିବା କାରଣରୁ ଓଡ଼ିଶାରୁ ଖଣିଜ ପଦାର୍ଥର ରପ୍ତାନି ହାର ହ୍ରାସ ପାଉଛି।
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ। ଯଦିଓ ଚଳିତ ଆର୍ଥିକ ବର୍ଷରେ କ୍ୟାପିଟାଲ ଏକ୍ସପେଣ୍ଡିଚର ସର୍ବକାଳୀନ, ଅର୍ଥାତ ପ୍ରାୟ ୫୬ହଜାର କୋଟିକୁ ଛୁଇଁଛି। କିନ୍ତୁ ରାଜ୍ୟର ସଂସ୍କୃତି ଓ ସିନେମା ଜଗତ ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ କରିବାର ଆବଶ୍ୟକତା ରହିଛି। ପ୍ରତି ବ୍ଲକରେ ମିନି ସିନେମା ହଲ ନିର୍ମାଣ ପାଇଁ ସରକାର ମାଗଣାରେ ଜମି ଯୋଗାଇ ଦୋବା ପାଇଁ ପ୍ରସ୍ତାବ ଆସିଛି ।
ଆସନ୍ତା ଜୁଲାଇ ୨ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ପ୍ରାୟ୧ଲକ୍ଷ ୬ ହଜାର କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରିଥିଲେ। ତେବେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟର ଆକାର ୨ ଲକ୍ଷ କୋଟି ଟଙ୍କା ରହିଛି।