ଚା’ ପାଉଁରୁଟି ବାଣ୍ଟୁଛନ୍ତି ବିଶ୍ବକପ ବିଜେତା ଖେଳାଳୀ

କଲୋମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା  । ଏହାରି ଭିତରେ ୧୯୯୬ ବିଶ୍ବକପ ବିଜେତା ଟିମର ଶ୍ରୀଲଙ୍କା ଖେଳାଳୀ ରୋଶନ ମହାନାମା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ପେଟ୍ରୋଲ ପମ୍ପରେ ଚା’ ପାଉଁରୁଟି ଲୋକଙ୍କୁ ବାଣ୍ଟୁଛନ୍ତି ଏହି ମହାନ ଖେଳାଳୀ । ମହାନାମା ପେଟ୍ରୋଲ ପମ୍ପରେ ଆବଶ୍ୟକୀୟ ସାମଗ୍ରୀ ଯୋଗାଉଥିବାର ଫଟୋ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି  ।

ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି ୱାର୍ଡ ପ୍ଲେସ ଓ ଭିଜେରାମା ମାୱଥାର ଆଖପାଖ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପରେ ଲାଇନରେ ଲାଗିଥିବା ଲୋକଙ୍କୁ ଚା’ ପାଉଁରୁଟି ବାଣ୍ଟୁଛୁ  । ଏହି ଲାଇନ ପ୍ରତିଦିନ ବଢିବାରେ ଲାଗିଛି  । ଯେଉଁଥିପାଇଁ ଲାଇନରେ ଛିଡା ହୋଇଥିବା ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେଉଛି । ଦୟାକରି ତେଲଟାଙ୍କିରେ ଛିଡା ହୋଇଥିବା ଲୋକେ ନିଜର ଧ୍ୟାନ ରଖନ୍ତୁ ଓ ପରସ୍ପରକୁ ସାହାଯ୍ୟ କରନ୍ତୁ ।

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଭୟଙ୍କର ସ୍ଥିତିରେ ପହଞ୍ଚିଛି  । ଏଥିପାଇଁ ପ୍ରତିଦିନ ଲୋକଙ୍କୁ ସଂଘର୍ଷ କରିବାକୁ ପଡୁଛି । ଦେଶରେ ଇନ୍ଧନ ପାଇଁ ବି ସଂଘର୍ଷ ଚାଲିଛି  । କିଛିଦିନ ମଧ୍ୟରେ ମହଜୁଦ ପେଟ୍ରୋଲ ଡିଜେଲ ବି ଶେଷ ହେବା ନେଇ ଅନୁମାନ କରାଯାଉଛି । ଆଉ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି କଲୋମ୍ବୋରେ ଜନ୍ମିତ ୫୬ ବର୍ଷୀୟ ମହାନାମା ।

ଶ୍ରୀଲଙ୍କା ପକ୍ଷରୁ ୨୧୩ଟି ଦିନିକିଆ ଓ ୫୨ ଟେଷ୍ଟ ମ୍ୟାଚ ଖେଳିଛନ୍ତି ମହାନାମା  । ଟେଷ୍ଟରେ ୪ଟି ଶତକ ଓ ୧୧ ଅର୍ଦ୍ଧଶତକ ସହ ଦିନିକିଆରେ ୪ ଶତକ ଓ ୩୫ ଅର୍ଦ୍ଧଶତକ ସେ ଯୋଡିଛନ୍ତି। ୧୯୯୬ ବିଶ୍ବକପ ଜିତିଥିବା ଶ୍ରୀଲଙ୍କା ଟିମରେ ଖେଳିଥିଲେ ମହାନାମା  । ୧୯୯୯ ବିଶ୍ବକପ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସେ ବିଦାୟ ନେଇଥିଲେ ।