ବାଲାଜୀ ଟେଲିଫିଲ୍ମସର ପୂର୍ବତନ ସିଓଓଙ୍କୁ କେନିଆରେ ହତ୍ୟା, ନବେ ଦିନରୁ ନିଖୋଜ ଥିଲେ

ନାଇରୋବି: ବାଲାଜୀ ଟେଲିଫିଲ୍ମସର ପୂର୍ବତନ ସିଓଓ ତଥା ଷ୍ଟାର ଟିଭିର ପୂର୍ବତନ ଏକ୍ଜିକ୍ୟୁଟିଭ ଜୁଲଫିକର ଅହମ୍ମଦ ଖାଁଙ୍କୁ ହତ୍ୟା । ଏହା ସହ ତାଙ୍କ ବନ୍ଧୁ ମହମ୍ମଦ ଜୈଦ ସାମି କିଦଓ୍ବାଇଙ୍କୁ ବି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଗତ ଜୁଲାଇରୁ ସେମାନେ ନିଖୋଜ ଥିଲେ । କେନିଆର ନିଷିଦ୍ଧ ଘୋଷିତ ସଂଗଠନ ଡିସିଆଇ ୟୁନିଟ ସେମାନଙ୍କୁ ହତ୍ୟା କରିଛି ବୋଲି ରାଷ୍ଟ୍ରପତି ଓ୍ବିଲିୟମ ରୁଟୋଙ୍କ ଜଣେ ସହଯୋଗୀ ପ୍ରକାଶ କରିଛନ୍ତି ।

କେନିଆ କ୍ବାନଜା ଡିଜିଟାଲ କ୍ୟାମ୍ପେନରେ ସାମିଲ ହୋଇଥିବା ଜୁଲଫିକରଙ୍କ ନିଖୋଜ ଖବର ପରେ ତାଙ୍କୁ ସନ୍ଧାନ କରିବା ଲାଗି ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । ପୂର୍ବରୁ ବାଲାଜୀ ଟେଲିଫିଲ୍ମସର ଯୁଗ୍ମ ମ୍ୟାନେଜିଂ ଡିରେକ୍ଟର ଏକତା କପୁର ଜୁଲଫିକର ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଲାଗି ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ । ପ୍ରାୟ ୯୦ଦିନ ତଳେ ଜଣେ ଟାକ୍ସି ଡ୍ରାଇଭରଙ୍କ ସମେତ ଏହି ୨ ଜଣ ନିଖୋଜ ହୋଇଯାଇଥିଲେ ।

ରାଷ୍ଟ୍ରପତି ରୁଟୋଙ୍କ ସକାଶେ ସଫଳ ପ୍ରଚାର କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କାରଣରୁ ଡିସିଆଇ ପକ୍ଷରୁ ତାଙ୍କୁ ଅପହରଣ ପରେ ରାଜଧାନୀ ନାଇରୋବିଠାରୁ ୧୫୦ କିଲୋମିଟର ଦୂର ଏକ ସ୍ଥାନରେ ହତ୍ୟା କରାଯାଇଥିଲା ।