ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ବାଳ

ଭୁବନେଶ୍ବର: ବଢ଼ିଲା ବିଜେଡି ବଳ । ବିଜେଡିରେ ସାମଲ ହେଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ଚିରଞ୍ଜୀବ ଜଗତସିଂହପୁର କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ୨୦୦୪ରୁ ୨୦୦୯ ତିର୍ତ୍ତୋଲର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୪ରୁ ୨୦୧୯ ଜଗତସିଂହପୁରର ବିଧାୟକ ହୋଇଥିଲେ । ବିଧାନସଭାରେ ବିରୋଧି ଦଳର ଉପନେତା ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ ।

ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସାଂସଦ ମାନସ ମଙ୍ଗରାଜ, ସାଂସଦ ଡ. ସସ୍ମିତ ପାତ୍ର ଏବଂ ମୁଖପାତ୍ର ପ୍ରିୟବ୍ରତ ମାଝି ପ୍ରମୁଖଙ୍କ ଉପସ୍ଥିତରେ ଏହି ମିଶ୍ରଣ ପର୍ବ ହୋଇଥିଲା । ସାଂସଦ ମାନସ ମଙ୍ଗରାଜ ଚିରଞ୍ଜୀବ ଏବଂ ଅନ୍ୟମାନଙ୍କୁ ବିଜେଡିକୁ ସ୍ବାଗତ କରିଥିଲେ । ଏହି ଅବସରରେ ମାନସ କହିଥିଲେ, ‘ଚିରଞ୍ଜୀବ ବାବୁ କେବଳ ଜଗତସିଂହପୁର ନୁହେଁ ସାରା ରାଜ୍ୟରେ ଜଣେ ଟାଣୁଆ ନେତା । ବିଜେଡିରେ ତାଙ୍କ ଯୋଗଦାନ ଦଳକୁ ସୁସଙ୍ଗଠିତ କରିବା ସହ ଆହୁରି ସୁଦୃଢ଼ କରିବ ।’

ଚିରଞ୍ଜୀବ ବିଶ୍ବାଳଙ୍କ ସହ ଶତାଧିକ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ରବୀନ୍ଦ୍ରନାଥ ମହାନ୍ତି, ନିରଞ୍ଜନ ବେହୁରା, ଯୋଗୀନାଥ ବାହୁବଳେନ୍ଦ୍ର, ସୁନିଲ ମାଟିଆ, ମାମିନା ଦଳେଇ, ସୁବାଷ ସାହୁ ଏବଂ ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ବିଜେପି ନେତା ଚିରଞ୍ଜୀବଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ।

ବିଜେଡିରେ ସାମିଲ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଚିରଞ୍ଜୀବ ବିଶ୍ବାଳ । ଏହାସହ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସାଂସଦ ମାନସ ମଙ୍ଗରାଜଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏହି ଅବସରରେ ଚିରଞ୍ଜୀବ କହିଛନ୍ତି, ‘ମୁଁ କିଛି ସ୍ବାର୍ଥ ନେଇ ବିଜେଡିକୁ ଆସିନି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ, ୨୫ ବର୍ଷର ଜନକଲ୍ୟାଣ କାର୍ଯ୍ୟକ୍ରମ, ଗୋଟିଏ ତଳୁଆ ରାଜ୍ୟକୁ ଦେଶରେ ଏକ ଆଗଧାଡିର ରାଜ୍ୟ କରିବାରେ ନେଇଥିବା ପଦକ୍ଷେପରେ ଆକୃଷ୍ଟ ହୋଇ ବିଜେଡିରେ ମିଶିଛି । ମୁଁ ଦଳରେ ଜଣେ ଛୋଟିଆ କର୍ମୀ ହୋଇ ରହିବି ଓ ଦଳ ଯାହା ମୋତେ ଦାୟିତ୍ବ ଦେବ ତୁଲାଇବି ।’