ବିଲକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିବେ ନବୀନ

ଭୁବନେଶ୍ବର: ଅଦିନିଆ ବର୍ଷାରେ ଉଜୁଡି ଯାଇଛି ଚାଷ । ସାରା ରାଜ୍ୟରେ ଚାଷୀକୂଳ ହତାଶାରେ ଦିନ କାଟୁଛନ୍ତି । ଗୋଟିଏ ପଟେ ପରିବାର ପେଟକୁ ଦାନା ଦେବାର ଚିନ୍ତା । ଅନ୍ୟପଟେ ଚାଷ ପାଇଁ କରିଥିବା ଧାରକରଜ ଓ ଋଣ ଶୁଝିବା ଚିନ୍ତା । ଏମିତି ସ୍ଥିତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆତ୍ମହତ୍ୟା କରିବାର ଅଭିଯୋଗ ଆସିବାରେ ଲାଗିଛି । ହେଲେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିବା ଭଳି ମନେ ହେଉନି । ଅମଳ ହେବାକୁ ଥିବା ଫସଲ ବର୍ଷା ପାଣିରେ ଭାସୁଥିବା ବେଳେ ସରକାର ଚିନ୍ତିତ ଥିବା ପରି ଲାଗୁନାହାନ୍ତି । ଏମିତି ସ୍ଥିତିରେ ଚାଷୀଙ୍କ ପାଇଁ ଆଗକୁ ବାହାରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ବିଲକୁ ଯାଇ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବେ ନବୀନ । ଏହାସହ ସେ ଚାଷୀଙ୍କ ସହ ଆଲୋଚନା କରିବେ । ଆସନ୍ତା ଡିସେମ୍ବର ୩୦ ତାରିଖରେ ନବୀନ ଗଞ୍ଜାମ ଗସ୍ତରେ ଯିବେ । ଏହି ଦିନ ସେ ବିଲକୁ ଯାଇ କ୍ଷୟକ୍ଷତି ସମୀକ୍ଷା କରିବେ । ସେହିଠାରେ ଚାଷୀଙ୍କ ସହ ଆଲୋଚନା ମଧ୍ୟ କରିବେ ।

ଉକ୍ତ ଦିନ ନବୀନଙ୍କ କବିସୂର୍ଯ୍ୟନଗର, ଆସିକା ଓ ହିଞ୍ଜିଳିରେ କାର୍ଯ୍ୟକ୍ରମ ରହିଛି । ସେଠାରେ ସେ କ୍ଷୟକ୍ଷତିର ସମୀକ୍ଷା କରିବା ସହ ଚାଷୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି ।