ଡିଏଭି ୟୁନାଇଟେଡ ଫେଷ୍ଟିଭାଲରେ ନବୀନ; ସ୍କୁଲର ଶିକ୍ଷାଦାନ ପଦ୍ଧତିକୁ କଲେ ପ୍ରଶଂସା

ଭୁବନେଶ୍ବର: ଭୁବନେଶ୍ୱରରେ ଷଷ୍ଠ ଡିଏଭି ୟୁନାଇଟେଡ ଫେଷ୍ଟିଭାଲ ଆରମ୍ଭ ହୋଇଛି । ଏଥର ଥିମ ରହିଛି ‘ରାଇଜିଙ୍ଗ ଓଡିଶା’ । ଦୁଇ ଦିନିଆ କାର୍ଯ୍ୟକ୍ରମର ଆଜି ସନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ବହୁତ ଖୁସି ବୋଲି କହିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସ୍ୱାମୀ ଦୟାନନ୍ଦ ସ୍ବରସ୍ବତୀ, ଲାଲ ଲାଜପତ ରାୟ ଓ ମହାତ୍ମା ହଂସରାଜଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ଡିଏଭି ସ୍କୁଲର ଶିକ୍ଷାଦାନ ପଦ୍ଧତିକୁ ନବୀନ ପ୍ରଶଂସା କରିଥିଲେ ।

ଅନ୍ତର୍ଜାତୀୟ କ୍ଷେତ୍ରରେ ଅନେକ ଉଚ୍ଚ ପଦବୀରେ ଡିଏଭି ଆଲମୁନିଙ୍କ ନାମ ରହିଛି । ଭୁବନେଶ୍ୱର ଏହି ଭଳି ମେଗା ଇଭେଣ୍ଟ ଆୟୋଜନ କରିଥିବାରୁ ଆଞ୍ଚଳିକ ନିର୍ଦ୍ଦେଶକ କେ.ସି. ଶତପଥୀଙ୍କୁ ପ୍ରଶଂସା କରିଥିଲେ ନବୀନ । ସେହିଭଳି ଅଲ ଇଣ୍ଡିଆ ଡିଏଭିର ସଭାପତି ପୁନମ ସୁରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ନବୀନଙ୍କ ୨୪ ବର୍ଷ ଶାସନ କାଳରେ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, ଭିତ୍ତିଭୂମି ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନେକ ଅବଦାନ ରହିଛି ବୋଲି ସେ କହିଥିଲେ ।

ନବୀନଙ୍କୁ ଦେଖିବାକୁ କ୍ରେଜ୍

ନବୀନଙ୍କୁ ଦେଖି କାନ୍ଦି ପକାଇଲ ମହିଳା

କାର୍ଯ୍ୟକ୍ରମରେ ନବୀନଙ୍କୁ ଦେଖିବା ପାଇଁ ଛୋଟ ବଡ଼ ସଭିଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀ ଓ ଆଲମୁନି ତାଙ୍କଠାରୁ ଆଶୀର୍ବାଦ ନେଇଥିଲେ । ଆଜିର କାର୍ଯ୍ୟକ୍ରମରେ ହଜାରେ ଆଲମୁନି ଉପସ୍ଥିତ ଥିଲେ । ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଲିଉଡ ଓ ବଲିଉଡର ଅନେକ କଳାକାର ଯୋଗଦେବେ । ଆଜି ବଲିଉଡର ହାସ୍ୟ ଅଭିନେତା ସୁନିଲ ଗ୍ରୋଭର ଯୋଗ ଦେଇ ସଭିଙ୍କୁ ହସାଇ ହସାଇ ବେଦମ କରିଥିଲେ । ଅନ୍ୟପଟେ କଟକର ଜଣେ ମହିଳା ନବୀନ ପଟ୍ଟନାୟକଙ୍କୁ ଦେଖି ତାଙ୍କ ଲୁହକୁ ରୋକି ପାରି ନଥିଲେ । ନବୀନ ପଟ୍ଟନାୟକ ଆସିବାରୁ ଯିବା ପର୍ଯ୍ୟନ୍ତ ସେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ମହିଳାଙ୍କୁ ସଶକ୍ତ କରିବା କ୍ଷେତ୍ରରେ ନବୀନ ପଟ୍ଟନାୟକ ବଡ଼ ଅବଦାନ ରହିଛି । ସେ ହାରି କି ମଧ୍ୟ କୋଟି ଓଡ଼ିଆଙ୍କ ହୃଦୟ ଜିତିଛନ୍ତି ବୋଲି ସଭିଏଁ କହିଥିଲେ ।