‘ଭାରତୀୟ ସମ୍ବିଧାନ ଧାରା ୩୨’ ବିଶ୍ୱର ଦିଗଦର୍ଶନ : ପୂର୍ବତନ ପ୍ରଧାନ ବିଚାରପତି କେ.ଜି. ବାଲାକ୍ରିଷ୍ଣନ୍‌

Former CJI K. G. Balakrishnan On Article 32 of Indian Constitution

ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ଧାରା ୩୨ ଅନୁଯାୟୀ ଏକ ସାଧାରଣ ନାଗରିକ ଭାରତୀୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇ ସିଧାସଳଖ ନ୍ୟାୟ ଆବେଦନ କରିପାରିବ । ପୃଥିବୀର ଏକମାତ୍ର ରାଷ୍ଟ୍ର ଭାବେ ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାରେ ଭାରତୀୟ ନାଗରିକଙ୍କୁ ଏହି ଅଧିକାର ପ୍ରଦାନ କରାଯାଇଛି । ଏଭଳି ବିରଳ ଅଧିକାର ବିଶ୍ୱର ଅନ୍ୟ ରାଷ୍ଟ୍ରରେ ଦେଖିବାକୁ ମିଳେ ନାହିଁ ବୋଲି କହିଛନ୍ତି ଭାରତର ପୂର୍ବତନ ପ୍ରଧାନ ବିଚାରପତି କେ.ଜି. ବାଲାକ୍ରିଷ୍ଣନ୍ ।

ନୂଆଦିଲ୍ଲୀସ୍ଥିତ କନିଷ୍ଟିଚ୍ୟୁସନ୍ କ୍ଲବରେ ସର୍ବଭାରତୀୟ ଆଇନ୍ ମଞ୍ଚ ପକ୍ଷରୁ ପୂର୍ବତନ ବିଚାରପତି କେ.ଜି. ବାଲାକ୍ରିଷ୍ଣନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ୟୁକ୍ରେନ, ଇକ୍ୱିଡର, ଇରାକ ପ୍ରଭୃତି ରାଷ୍ଟ୍ରର ରାଷ୍ଟ୍ରଦୂତ ମାନେ ଉପସ୍ଥିତ ଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବ ଅବସରରେ ବିଚାରପତି କେ.ଜି. ବାଲାକ୍ରିଷ୍ଣନ୍ ବିଳମ୍ବିତ ନ୍ୟାୟ ଏବଂ ବିଚାରପତିଙ୍କ ଅଭାବ ଜନିତ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରି କହିଥିଲେ ‘ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ନ୍ୟାୟାଳୟମାନଙ୍କରେ ଆବଶ୍ୟକୀୟ ଭିତ୍ତିଭୂମି ଉପଲବ୍ଧ କରାଇବା ଏବଂ ବିଚାରପତି ନିଯୁକ୍ତି ତ୍ୱରାନ୍ୱିତ କରିବା ଉପରେ ରାଜ୍ୟ ସରକାର ତତ୍ପର ହୋଇ ପଦକ୍ଷେପ ନେବାର ସମୟ ଆସିଛି । ଏହା ହୋଇପାରିଲେ ଭାରତରେ ବୃଦ୍ଧି ପାଉଥିବା ବିଳମ୍ବିତ ନ୍ୟାୟ ଏବଂ କେସ୍ ସଂଖ୍ୟାକୁ ହ୍ରାସ କରାଯାଇପାରିବ । ଜିଲ୍ଲା ଏବଂ ହାଇକୋର୍ଟ ସ୍ତରରେ ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରମାନେ ପ୍ରାଥମିକତା ଦେବା ଜରୁରୀ ।’

Former CJI K. G. Balakrishnan On Article 32 of Indian Constitution

ଏହି ସମ୍ବର୍ଦ୍ଧନା ଉତ୍ସବ ଅବସରରେ ସର୍ବଭାରତୀୟ ଆଇନ୍ ମଞ୍ଚର ସାଧାରଣ ସମ୍ପାଦକ ଆଇନଜୀବୀ ଜୟଦୀପ ମୁଖାର୍ଜୀ ବିଚାରପତି କେ.ଜି. ବାଲାକ୍ରିଷ୍ଣନଙ୍କର ସ୍ମୃତିଚାରଣ କରିଥିଲେ । ଜଣେ ସାଧାରଣ ମଣିଷ ଭାବେ ନିଜର କାର୍ଯ୍ୟ ଜୀବନ ଆରମ୍ଭ କରି ଭାରତର ପ୍ରଧାନ ବିଚାରପତି ହେବାର ସୌଭାଗ୍ୟ ଓ ଗୌରବ ଆମ ସମସ୍ତଙ୍କୁ ଅନୁପ୍ରାଣିତ କରିପାରିଛି । ବିଚାରପତି ବାଲାକ୍ରିଷ୍ଣନଙ୍କର ମଧ୍ୟାହ୍ନ ଭୋଜନ ରାୟ ଭାରତର ନ୍ୟାୟପାଳିକା ଇତିହାସ ପୃଷ୍ଠାରେ ଏକ ଅମଳିନ ନିର୍ଦ୍ଦେଶ ହୋଇ ରହିପାରିବ । ଏହି ଉତ୍ସବରେ ବିଭିନ୍ନ ରାଷ୍ଟ୍ରର ଉପସ୍ଥିତ ରାଷ୍ଟ୍ରଦୂତ ମାନେ ବିଚାରପତି ବାଲାକ୍ରିଷ୍ଣନଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ଭାରତର ସମ୍ବିଧାନ ଓ ନ୍ୟାୟପାଳିକାମାନଙ୍କର ଗୁରୁତ୍ୱ ଦାୟିତ୍ୱକୁ ପ୍ରଶଂସା କରିଥିଲେ ।

Leave a Reply