ବିଜେପି ଛାଡ଼ିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, କେସିଆରଙ୍କ ବିଆରଏସରେ ହୋଇପାରନ୍ତି ସାମିଲ

1 min read

ଭୁବନେଶ୍ୱର: ଓଡ଼ିଶା ସ୍ୱାର୍ଥ ପାଇଁ ଲଢ଼ୁନାହିଁ ବିଜେପି । ବିଜେଡି ସହ ବିଜେପି ଲଢ଼ିପାରିବ ନାହିଁ । ଓଡ଼ିଶାବାସୀଙ୍କୁ ବିଜେପି ଭୁଆଁ ବୁଲାଉଛି । ଲଢ଼େଇ ଠିକ୍ ସେ ହେଉନି । ଦଳୀୟ ଫୋରମରେ ଉଠାଇଲ ମଧ୍ୟ କିଛି ସୁଫଳ ମିଳୁନି । ଏପରି ସ୍ଥିତିରେ ଖୁବଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରୁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ । ତେବେ ଉଭୟ ଗିରଧର ଓ ଶିଶିର ଖୁବଶୀଘ୍ର କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି-ବିଆରଏସରେ ଯୋଗ ଦେଇପାରନ୍ତି । କେସିଆର ଓ ଗିରିଧର ପୁରୁଣା ବନ୍ଧୁ । ସେଥିପାଇଁ କେସିଆର ଗିରିଧରଙ୍କୁ ନିମନ୍ତ୍ରଣ ଦେଇଥିଲେ । ଏହା ଭିତରେ ପ୍ରଥମ ବୈଠକ ସରିଛି ବୋଲି କହିଛନ୍ତି ଶିଶିର ।

ସେପଟେ ଗିରିଧର ଗମାଙ୍ଗ ଦଳ ଛାଡ଼ିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଗିରିଧରଙ୍କୁ ଲଢ଼େଇ କରିବାକୁ କେହି ମନା କରିନାହାଁନ୍ତି । ତେଣୁ କିଏ ଗଲେ କି ଆସିଲେ କିଛି ପ୍ରଭାବ ପଡ଼ିବନି । ଯିଏ ଯିବା କଥା ଯିବେ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର । ଦଳରେ ଯଥେଷ୍ଟ ଲୋକ ଅଛନ୍ତି । ବିଜେପି କେବେ ଆନ୍ଦୋଳନ ନକରିବାକୁ କହିନି ବୋଲି କହିଛନ୍ତି ଜୟନାରାୟଣ । ସେହିପରି କଂଗ୍ରେସ କହିଛି, ଗିରଧର କଂଗ୍ରେସ ଛାଡ଼ିଥିଲେ । ପୁଣି ଏବେ ବିଜେପି ଛାଡ଼ୁଛନ୍ତି । ସେ ଖାଲି ଘୂରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ସୁରେଶ ରାଉତରାୟ ।