ମେଲବର୍ଣ୍ଣରେ ପହଞ୍ଚିଲା ଶେନ୍ ଓ୍ୱାର୍ଣ୍ଣଙ୍କ ପାର୍ଥିବ ଶରୀର, MCGରେ ଦିଆଯିବ ଅନ୍ତିମ ବିଦାୟ

1 min read

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଦିବଙ୍ଗତ ସ୍ପିନର ଶେନ ଓ୍ୱାର୍ଣ୍ଣଙ୍କ ପାର୍ଥିବ ଶରୀର ଗୁରୁବାର ଏକ ପ୍ରାଇଭେଟ ଜେଟରେ ମେଲବର୍ଣ୍ଣରେ ପହଞ୍ଚିଛି । ଓ୍ୱାର୍ଣ୍ଣଙ୍କ ମୃତଦେହ ଅଷ୍ଟ୍ରେଲିଆ ଜାତୀୟ ପତାକାରେ ଆବୃତ ଏକ କଫିନରେ ମେଲବର୍ଣ୍ଣ ଅଣାଯାଇଥିଲା । ପ୍ରାଇଭେଟ ଜେଟରେ ଓ୍ୱାର୍ଣ୍ଣଙ୍କ ପାର୍ଥିବ ଶରୀର ସ୍ଥାନୀୟ ସମୟ ୮.୩୦ରେ ମେଲବର୍ଣ୍ଣରେ ପହଞ୍ଚିଥିଲା । ଶେନ ଓ୍ୱାର୍ଣ୍ଣଙ୍କ ଶେଷକୃର୍ତ୍ୟ ମାର୍ଚ୍ଚ ୩୦ରେ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର ହେବ ।

ସୂଚନା ଅନୁସାରେ ଗତ ଶୁକ୍ରବାର ଥାଇଲଣ୍ଡରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ ଶେନ ଓ୍ୱାର୍ଣ୍ଣ । ସେ ତାଙ୍କ ସାଙ୍ଗମାନଙ୍କ ସହ ଛୁଟି ମନାଇବାକୁ ଥାଇଲାଣ୍ଡ ଯାଇଥିଲେ । ତେବେ ଏବେ ମେଲବର୍ଣ୍ଣରେ ତାଙ୍କ ପାର୍ଥିବ ଶରୀର ପହଞ୍‌ଚିବା ପରେ ମାର୍ଚ୍ଚ ୩୦ରେ ଅନ୍ତିମ ସଂସ୍କାର ହେବ । ଶେନଙ୍କ ମୃତ୍ୟୁ ପରେ ଭିକ୍ଟୋରିଆ ପ୍ରଧାନମନ୍ତ୍ରୀ ଡାନିଏଲ ଆଣ୍ଡ୍ର୍ୟୁସ  ସୋସିଆଲ ମିଡିଆରେ ଲେଖିଥିଲେ କି ଓ୍ୱାର୍ଣ୍ଣଙ୍କୁ ଏମସିଜି ବ୍ୟତୀତ ଅନ୍ୟ କୌଣସି ଗ୍ରାଉଣ୍ଡରେ ଭଲ ବିଦାୟ ଦେଇପାରିବ ନାହିଁ । ଏମସିଜି ଗ୍ରାଉଣ୍ଡରେ ଓ୍ୱାର୍ଣ୍ଣ ୧୯୯୪ ଆସେସରେ ହାଟ୍ରିକ ନେଇଥିଲେ ଏବଂ ୨୦୦୬ ବକ୍ସିଂ ଡେ’ ଟେଷ୍ଟରେ ୭୦୦ ଓ୍ୱିକେଟ ହାସଲ କରିଥିଲେ । ସେ ତାଙ୍କ କ୍ୟାରିୟରରେ ୧୪୫ ମ୍ୟାଚ ଖେଳି ୭୦୮ ଓ୍ୱିକେଟ ଅକ୍ତିଆର କରିଥିଲେ ।