ଆଫଗାନିସ୍ତାନର ଅର୍ଥମନ୍ତ୍ରୀ ଏବେ ୱାସିଂଟନରେ ଡ୍ରାଇଭର

ୱାସିଂଟନ: କୁହାଯାଏ ସମୟ ବଡ଼ ବଳବାନ । ମଣିଷର କର୍ମ ନେଇ ଯେମିତି ଫଳ ଠିକ ସେମିତି ମଣିଷ ଜୀବନରେ ତାର ଭଲ ଓ ଖରାପ ସମୟ ହିଁ ସବୁବେଳେ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ତ କୁହାଯାଏ ସମସ୍ତେ ପିରସ୍ଥିତିର ଦାସ । ଆଉ ଏହା ଏବେ ପ୍ରମାଣିତ ମଧ୍ୟ ହୋଇଛି । ଗୋଟିଏ ଦେଶର ଅର୍ଥମନ୍ତ୍ରୀ କିଭଳି ଜଣେ ଡ୍ରାଇଭରରେ ପରିଣତ ହୋଇଛନ୍ତି । ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଖାଲିଦ ପାୟେଦାଙ୍କ ଅବସ୍ଥାରୁ ଠିକ୍ ଅନୁମାନ କରିହେବ । କେବେ ସଂସଦରେ ଅର୍ଥମନ୍ତ୍ରୀ ଭାବେ ଦେଶର ବଜେଟ ଉପସ୍ଥାପନା କରୁଥିବା ଏହି ମନ୍ତ୍ରୀ ଏବେ ଆମେରିକାର ରାଜଧାନୀ ୱାସିଂଟନରେ ଉବର ଡ୍ରାଇଭର ।

ସୂଚନା ଅନୁସାରେ, ତାଲିବାନ ଆତଙ୍କବାଦୀଙ୍କ ଦ୍ବାରା କାବୁଲ ପତନର ଅଳ୍ପଦିନ ପୂର୍ବରୁ ଆଫଗାନିସ୍ତାନ ସରକାରଙ୍କ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଖାଲିଦ ପାୟେନ୍ଦା ବର୍ତ୍ତମାନ ଆମେରିକାର ୱାଶିଂଟନରେ ଉବର କ୍ୟାବ୍ ଚଳାଇ ଜୀବିକା ନିର୍ବାହ କରୁଛନ୍ତି। ଏଥି ସହ ସେ ଜର୍ଜଟାଉନ୍ ୟୁନିଭର୍ସିଟିରେ ସହକାରୀ ପ୍ରଫେସର ଭାବେ କାମ କରି ସିମେଷ୍ଟାର ପିଛା ୨,୦୦୦ ଡଲାର ରୋଜଗାର କରୁଛନ୍ତି।

ୱାସିଂଟନ ପୋଷ୍ଟକୁ ସାକ୍ଷାତ୍‌କାର ଦେଇ ଆଫଗାନିସ୍ତାନର ଶେଷ ଅର୍ଥମନ୍ତ୍ରୀ କଥିଲେ ଯେ, ସ୍ତ୍ରୀ ଓ ଚାରି ପିଲାଙ୍କ ପରିବାର ଚଳାଇବା ପାଇଁ ତାଙ୍କୁ ଯେଉଁ କାମ ମିଳିଛି ସେଥିରେ ସେ ସନ୍ତୁଷ୍ଟ। ସେ ଡ୍ରାଇଭର ଭାବେ କାର୍ଯ୍ୟ କରି ସେ ଲଜ୍ଜିତ ନୁହଁନ୍ତି । ଏହି କାମ ମୋର ଜୀବନରେ ଗୋଟିଏ ବଡ଼ ପରିବର୍ତ୍ତନ ଆଣିଛି ।

ଆଫଗାନିସ୍ତାନ ଦଖଲ ପାଇଁ ଆମେରିକା ସରକାର ଦାୟୀ

ପାୟେନ୍ଦା ସ୍ପଷ୍ଟ ଭାବେ କହିଛନ୍ତି ଯେ, ତାଲିବାନର ଆଫଗାନିସ୍ତାନ ଦଖଲ ପାଇଁ ଆମେରିକା ସରକାର ଦାୟୀ । ଉଲ୍ଲେଖନୀୟ ବିଷୟ ହେଉଛି, ଗତ ଦୁଇ ଦଶନ୍ଧିର ବିବାଦ ପରେ ଆମେରିକା ଅଗଷ୍ଟ ୨୦୨୧ ରେ ଆଫଗାନିସ୍ତାନରୁ ନିଜର ସୈନ୍ୟ ପ୍ରତ୍ୟାହାର କରିଥିଲା । ତାଲିବାନ ଆଫଗାନିସ୍ତାନ ଦଖଲ କରିବାର କିଛି ମାସ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଫେବୃଆରୀ ୨୦୨୦ ରେ ଆତଙ୍କବାଦୀ ଗୋଷ୍ଠୀ ସହିତ ଏକ ସର୍ତ୍ତମୂଳକ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଥିଲେ । ଯେଉଁଥିରେ ଆସନ୍ତା ୧୪ ମାସ ମଧ୍ୟରେ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟକୁ ପ୍ରତ୍ୟାହାର କରିବାକୁ ପ୍ରତିଶୃତି ଦିଆଯାଇଥିଲା। ଏହି ଚୁକ୍ତିରେ ତତ୍କାଳୀନ ଆଫଗାନିସ୍ତାନ ସରକାରଙ୍କୁ ଅନ୍ତର୍ଭୁକ୍ତ କରାଯାଇନଥିଲା ।

ଆମେରିକାର ଅଧିକାଂଶ ବରିଷ୍ଠ ଅଧିକାରୀ ଆଫଗାନିସ୍ତାନ ଯୁଦ୍ଧକୁ ସମାପ୍ତ କରିବାକୁ ଚାହୁଁଥିଲେ, ଯାହା ୨୦ ବର୍ଷ ପୂର୍ବେ ଗଣତନ୍ତ୍ର, ମାନବାଧିକାର ଏବଂ ମହିଳା ଅଧିକାରର ତଥାକଥିତ ପ୍ରତିଶ୍ରୁତି ସହିତ ଆରମ୍ଭ ହୋଇଥିବା । କିଛି ପ୍ରସଙ୍ଗରେ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ସହ ପାୟେନ୍ଦା ସମ୍ପର୍କ ଖରାପ ହୋଇଯାଇଥିଲା ଏବଂ ତାଲିବାନ କାବୁଲ ଦଖଲ କରିବାର ଏକ ସପ୍ତାହ ପୂର୍ବରୁ ସେ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ଘାନି ତାଙ୍କୁ ଗିରଫ କରିଦେବା ଭୟରେ ସେ ଆମେରିକା ପଳାୟନ କରିଥିଲେ ।  ସ୍ତ୍ରୀ ଓ ପିଲାଛୁଆଙ୍କୁ ସପ୍ତାହକ ପୂର୍ବରୁ ଆମେରିକା ପଠାଇ ଦେଇଥିଲେ ପାୟେନ୍ଦା ।