ଭାରତର ୮ ପୂର୍ବତନ ନୌସୈନିକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲା କତାର ଅଦାଲତ

ଦୋହା: ଭାରତର ୮ ପୂର୍ବତନ ନୌସୈନିକଙ୍କୁ କତାରର ଏକ ଅଦାଲତ ମୃତ୍ୟୁଦଣ୍ଡ ଶୁଣାଇଛି  । କତାର ସରକାର ଗତ ଏକ ବର୍ଷ ଧରି ଏହି ଭାରତୀୟଙ୍କୁ ବନ୍ଦୀ କରି ରଖିଥିଲେ  । କତାର ଅଦାଲତର ଏଭଳି ଫଇସଲାରେ ଦୁଃଖ ପ୍ରକାଶ କରିଛନ୍ତି ଭାରତ ସରକାର  । ଏହି ଫଇସଲାକୁ ଭାରତ ଚ୍ୟାଲେଞ୍ଜ କରିବ ବୋଲି କହିଛି  । ଭାରତର ଏହି ପୂର୍ବତନ ଅଧିକାରୀଙ୍କୁ ମୁକ୍ତ କରିବାକୁ ପୂର୍ବରୁ ବି ଭାରତ ସରକାର କତାରକୁ ଅପିଲ୍‌ କରିଥିଲେ  । ହେଲେ କତାର ଦାବି କରିଛି ଯେ ଏହି ଭାରତୀୟ ମାନେ ଇସ୍ରାଏଲ ପାଇଁ ଜାସୁସୀ କରୁଥିଲେ  ।

 

ଭାରତ ସରକାର ଏବେ ପୂର୍ବତନ ଅଧିକାରୀଙ୍କୁ ମୁକ୍ତ କରିବା ପାଇଁ ଆଇନର ଆଶ୍ରୟ ନେବ  । ଏହି ପୂର୍ବତନ ଅଧିକାରୀ ମାନେ ଭାରତୀୟ ନୌସନାର ଯୁଦ୍ଧ ଜାହାଜରେ ନିୟୋଜିତ ଥିଲେ  । ଚାକିରୀରୁ ଅବସର ପରେ ସେମାନେ କତାର ଏକ ପ୍ରାଇଭେଟ କମ୍ପାନୀ ଦହରା ଗ୍ଲୋବାଲରେ କାମ କରୁଥିଲେ  । ଏହା ଏକ ବେସରକାର କମ୍ପାନୀ ଯାହାକି କତାର ସେନାକୁ ଟ୍ରେନିଂ ଦେଇଥାଏ  ।

 

ଅଧିକାରୀଙ୍କ ଦୟା ଯାଚିକାକୁ ଖାରଜ କରିଦେଇଛି କତାର  ।  ଏହି ମାମଲାରେ କତାର ଅଦାଲତର ଏହା ପ୍ରଥମ ଫଇସଲା ନୁହେଁ  । ଏହାପୂର୍ବରୁ କତାରରେ ଭାରତର ରାଷ୍ଟ୍ରଦୂତ ଓ ଜଣେ ଡେପୁଟୀ ଅଧିକାରୀ ଜେଲରେ ବନ୍ଦୀ ପୂର୍ବତନ ନୌସୈନିକଙ୍କୁ ଭେଟିଥିଲେ  । ପୂର୍ବରୁ ବି ଭାରତୀୟଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ସମ୍ପୂର୍ଣ୍ଣ ତଥ୍ୟ ଦେଇନାହିଁ କତାର  ।