ଖୋଲିଲା ବାହାନଗା ସ୍କୁଲ: ପିଲାଙ୍କ ମନରେ ଟ୍ରେନ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ, କାନ୍ଧରେ ସ୍କୁଲ ବ୍ୟାଗ

ସୋର: ଖରା ଛୁଟି ପରେ ଖୋଲିଛି ସ୍କୁଲ । ରାଜ୍ୟର ଅନ୍ୟ ସ୍କୁଲ ଭଳି ବାହାନଗା ସ୍କୁଲ ବି ଖୋଲିଛି । ହେଲେ ଅନ୍ୟ ସ୍କୁଲଠାରୁ କିଛି ଭିନ୍ନ ଥିଲା ବାହାନଗା ସ୍କୁଲର ପ୍ରଥମ ଦିନ । ଏ ହେଉଛି ସେହି ସ୍କୁଲ ଯେଉଁଠି କରମଣ୍ଡଳ ଏକ୍ସପ୍ରେସରେ ମୃତାହତଙ୍କୁ ରଖା ଯାଇଥିଲା । ୧୯ ଦିନ ପୂର୍ବେ ଏଠାରେ ଘଟି ଯାଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ଏ ସ୍କୁଲ ଛାତ୍ରଛାତ୍ରୀ ଥିଲେ ମୁକସାକ୍ଷୀ । ସେଦିନ ତାଙ୍କ ସ୍କୁଲରେ ଭର୍ତ୍ତି ହୋଇଯାଇଥିଲା କୁଢ଼ କୁଢ଼ ଶବ । ଏହା ଭିତରେ ୧୯ ଦିନ ବିତି ଯାଇଛି, ପିଲାଙ୍କ ମନରୁ ଭୟ ବି ଚାଲି ଯାଇଛି । ଆଉ ଖରା ଛୁଟି ପରେ ସ୍କୁଲ ଖୋଲି ଥିବାରୁ ପ୍ରଥମ ଦିନ ଖୁସି ଖୁସିରେ ନିଜ ପ୍ରିୟ ସ୍କୁଲକୁ ବସ୍ତାନୀ ଧରି ଫେରି ଆସିଛନ୍ତି ଛାତ୍ରଛାତ୍ରୀ ।

ପ୍ରଥମ ଦିନରେ ସୁରଖୁରରେ କ୍ଲାସରୁମରେ ବସି ପାଠ ପଢ଼ିଛନ୍ତି ଛାତ୍ରଛାତ୍ରୀ । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୫୬୨ ଛାତ୍ରଛାତ୍ରୀ ଥିବା ଏହି ସ୍କୁଲରୁ ୧୧୨ ଜଣ ପିଲା ସ୍କୁଲ ଆସିଥିଲେ । ଅନ୍ୟ ଦିନ ପରି ପିଲାମାନେ ପ୍ରଥମେ ପ୍ରାର୍ଥନା କରିବା ସହିତ ଯୋଗ ଦିବସ ଥିବାରୁ ଯୋଗ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ପାଠପଢ଼ା । ଲେବୁଲ କ୍ରସିଂରେ କାମ ଚାଲୁଥିବାରୁ କିଛି ପିଲା ସ୍କୁଲ ଆସିପାରି ନଥିଲେ ।  ଅନ୍ୟପକ୍ଷରେ ଅଭିବାବକଙ୍କ ସହ ଆଲୋଚନା କରି ପିଲାଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ଜିଲ୍ଲା ଶିକ୍ଷାଧିକାରୀ ବିଦ୍ୟାଳୟରେ ଉପସ୍ଥିତ ରହି ପଢା କାର୍ଯ୍ୟର ତଦାରଖ କରିଥିଲେ ।

ସୂଚନାଯୋଗ୍ୟ, ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହକୁ ଆଣି ବାହାନଗା ସ୍କୁଲ ଘରେ ରଖାଯାଇଥିଲା । ଯେଉଁଥି ପାଇଁ ଆସିବା ନେଇ ଭୟ ପ୍ରକାଶ କରିଥିଲେ ଅଭିବାବକ ଓ ଛାତ୍ରଛାତ୍ରୀ । ଏଥିପାଇଁ ପ୍ରଶାସନିକସ୍ତରରେ ଆଲୋଚନା ପରେ ମୃତଦେହ ରଖାଯାଇଥିବା ଶ୍ରେଣୀଗୃହକୁ ଭଙ୍ଗାଯାଇଥିଲା । ନୂଆ ଶ୍ରେଣୀ ଗୃହ ହେବା ସହ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ବିଶ୍ବ ଶାନ୍ତି ମହାଯଜ୍ଞର ମଧ୍ୟ ଆୟୋଜନ କରାଯାଇଛି । ପିଲାମାନେ କେମିତି ଭୟ ନକରି ବିଦ୍ୟାଳୟକୁ ଆସିବେ ଓ ପାଠ ପଢିବେ ସେଥିପ୍ରତି ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।