ହାତୀ ହତ୍ୟା ମାମଲାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

ଚମ୍ପୁଆ : ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ । ଚମ୍ପୁଆ ରେଞ୍ଜ୍ ଯୋଡ଼ା ସେକ୍ସନର ଗୁରୁବେଡ଼ା ଗାଁ ପାଖ ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରେ  ୨ହାତୀଙ୍କ ମୃତ୍ୟୁ ଘଟଣାର ବନ ବିଭାଗ ତଦନ୍ତ କରି ଯୋଡ଼ା ସେକ୍ସନରଙ୍କୁ ନିଲମ୍ବିତ କରାଯାଇଛି  । ସେମାନେ ହେଲେ ଫରେଷ୍ଟର ପିଅନ ନାଏକ ଓ ଜୁରୁଡ଼ି ବିଟର ଫରେଷ୍ଟ ଗାର୍ଡ ଦୋଳ ଗୋବିନ୍ଦ ଦେଓ ।

ବନ୍ୟଜନ୍ତୁ ଶୀକାରୀଙ୍କ ଦ୍ଵାରା ବିଛାଇଥିବା  ୧୧ କେଭିଏ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟ ହାତୀଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିଲା ।  ଶୀକାରୀ, ଉଭୟ ହାତୀଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ହତ୍ୟା କରିଥିଲେ । ମାଈ ହାତୀର  ବୟସ ପାଖାପାଖି ୩୦ ଓ  ଅଣ୍ଡିରା ହାତୀର ବୟସ  ପାଖାପାଖି ୮ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ମୃତ ହାତୀଙ୍କ ଦାନ୍ତ ମଧ୍ୟ ଗାଏବ ଥିଲା ।  ତେବେ ନିରୀହ ହାତୀଙ୍କୁ ମାରିଥିବା ଏହି ଶୀକାରୀମାନେ କିଏ ?  ଏମାନେ ଏହି ଆଖପାଖ ଅଞ୍ଚଳର ନା ଅନ୍ୟ କେଉଁ ଅଂଚଳର । ପ୍ରକୃତରେ ହାତୀ ଦାନ୍ତ ପାଇଁ ବିଦ୍ୟୁତ ତାର ବିଛାଯାଇଥିଲା ନା ଜଙ୍ଗଲୀ ବାରହା ଶୀକାର କରିବା ପାଇଁ । ସେନେଇ କୌଣସି ସୂଚନା ମିଳିପାରି  ନାହିଁ ।

ଗତ ୨ ମାସ ମଧ୍ୟରେ  ଚମ୍ପୁଆ ରେଞ୍ଜରେ ୪ ହାତୀଙ୍କ ମୃତ୍ୟୁ ଘଟିଛି । ବାମେଵାରୀ ସେକ୍ସନର କାଶିଆ ଜଙ୍ଗଲରେ, ଗୋଟିଏ ହାତୀର ମୃତ୍ୟୁ ଘଟିଥିବାବେଳେ, ଗତ ୨୪ ତାରିଖରେ ବାଲିବନ୍ଧ ସେକ୍ସନର ଚମକପୁର ଗାଁରେ ଗୋଟିଏ ହାତୀର ମୃତଦେହ ମିଳିଥିଲା । ଏହାପରେ ଗତକାଲି ଏକା ସାଙ୍ଗରେ ୨ଟି ହାତୀଙ୍କୁ ହତ୍ୟା, ବନ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବଳ ତଳୁଆ କର୍ମଚାରୀଙ୍କୁ ଦାୟୀ କରାଯାଇ ସସପେଣ୍ଡ କରି ଦିଆଯାଇଛି କିନ୍ତୁ ପ୍ରକୃତ ତଦନ୍ତ କରାଯାଇ ଏହି ଘଟଣା ପାଈଁ ଦାୟୀ ଥିବା ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ବୋଲି ଦାବି କରାଯାଇଛି ।

Leave a Reply