ଜୀବନକୁ ବାଜି ଲଗାଇ ଅନେକ ଜୀବନ ରକ୍ଷା କରୁଛନ୍ତି ବନ କର୍ମଚାରୀ, ମାତ୍ର ମିଳୁନି ପ୍ରାପ୍ୟ

ଜୀବନକୁ ବାଜି ଲଗାଇ ଅନେକ ଜୀବନ ରକ୍ଷା କରୁଛନ୍ତି। ହାତୀ ମଣିଷ ହେଉ କି ବାଘ ମଣିଷ ଲଢେଇ ସବୁଥିରେ ଉଭୟ ପକ୍ଷକୁ ରକ୍ଷା କରିବାର ଗୁରୁ ଦାୟିତ୍ୱ ତୁଲାଉଛନ୍ତି। ଏ ଭିତରେ ଜୀବନ ବି ଚାଲିଯାଉଛି। କିନ୍ତୁ ନା ସଠିକ ସମୟରେ ଦରମା ପାଉଛନ୍ତି ନା ଜୀବନ ପାଇଁ କିଛି ସୁରକ୍ଷା ଅଛି। ଏହାକୁ ନେଇ ପୁଞ୍ଜିଭୂତ ଅସନ୍ତୋଷ ଆଜି ଦେଖିବାକୁ ମିଳିଛି। ହଜାର ହଜାର ଅସ୍ଥାୟୀ ବନ କର୍ମଚାରୀ ଜଙ୍ଗଲ ବିଭାଗ ମୁଖ୍ୟ ଦପ୍ତର ଅରଣ୍ୟ ଭବନ ଘେରାଉ କରିବା ସହ ଜୋରଦାର ବିକ୍ଷୋଭ କରିଛନ୍ତି। ବନ୍ୟପ୍ରାଣୀଙ୍କ ଦ୍ୱାରା ମୃତ କର୍ମଚାରୀଙ୍କ ପରିବାରକୁ ସର୍ବନିମ୍ନ ୨୫ ଲକ୍ଷ ଟଙ୍କା ଆର୍ଥିକ ଅନୁକମ୍ପା ଓ କର୍ତ୍ତବ୍ୟ ସମ୍ପାଦନ ସମୟରେ ପଙ୍ଗୁ ହୋଇଥିବା କର୍ମଚାରୀଙ୍କ ପରିବାରକୁ ୧୫ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ ପାଇଁ ଦାବି ଜୋର ଧରିଛି । ଏହାସହ ଆଉଟସୋର୍ସିଙ୍ଗରେ ନିଯୁକ୍ତି ପାଇ ତିରିଶ ଦିନ ବଦଳରେ ୨୬ ଦିନ ଦରମା ପାଉଥିବା କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଆଉଟସୋର୍ସିଙ୍ଗ କର୍ମଚାରୀ ମାନ୍ୟତା ଦେବା, ଛଟେଇ ବନ୍ଦ କରିବା ଆଦି ସାତ ଦଫା ଦାବି ନେଇ ଜୋରଦାର ବିକ୍ଷୋଭ କରାଯାଇଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାଇ ଦିଆଯାଇଛି।

ସେପଟେ ବିଭିନ୍ନ ଫରେଷ୍ଟ ଡିଭିଜନରେ ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ବାଡ, ଓ୍ବାଇଲ୍ଡ ଲାଇଫ୍ ପ୍ରୋଟାକସନ୍ ସ୍କ୍ବାଡ, ପ୍ରୋଜେକ୍ଟ ଟାଇଗର, ଏଲିଫାଣ୍ଟ ସ୍କୁଆଡ଼ ଓ ଫାୟାର ପ୍ରୋଟେକ୍ସନ ସ୍କୁଆଡ଼ ଆଦି ବିପଦପୂର୍ଣ୍ଣ ଓ ଗୁରୁ ଦାୟିତ୍ୱ ତୁଲାଉଥିବା ଏହି ଅସ୍ଥାୟୀ ବନ କର୍ମଚାରୀ ବା ପାରା ଷ୍ଟାଫଙ୍କ ସହ କିଛି ସମ୍ପର୍କ ନାହିଁ ବୋଲି ବନ ବାହିନୀ ମୁଖ୍ୟ କହିଛନ୍ତି । ସେମାନଙ୍କୁ ପ୍ରତି ଡିଭିଜନରେ ଆଉଟସୋର୍ସିଙ୍ଗ ମାଧ୍ୟମରେ ଟେଣ୍ଡର ଅନୁଯାୟୀ ଡିଏଫଓ ନିଯୁକ୍ତି ଦେଉଛନ୍ତି। ତେଣୁ ଆଉଟସୋର୍ସିଙ୍ଗ ପାଇଁ ଯାହା ନିୟମ ଅଛି ସେହି ଅନୁଯାୟୀ କାମ କରାଯାଉଛି। ପ୍ରୋଜେକ୍ଟ ଟାଇଗର ଓ ପ୍ରୋଜେକ୍ଟ ଏଲିଫାଣ୍ଟରେ କେନ୍ଦ୍ର ସରକାରଙ୍କ ଫଣ୍ଡ ରିଲିଜରେ ବିଳମ୍ବ ହୋଇଛି। କେନ୍ଦ୍ରକୁ ଅନୁରୋଧ କରାଯାଇଛି ଫଣ୍ଡ ରିଲିଜ ପାଇଁ। ସେହିପରି କାମ୍ପା ୱାଇଲଡ଼ ଲାଇଫ ସ୍କ୍ୱାର୍ଡଙ୍କୁ ଅର୍ଥ ମିଳିନି। ଏହାର ସମାଧାନ ହୋଇଛି। ୧୫ ଦିନ ମଧ୍ୟରେ ସେମାନଙ୍କୁ ଅର୍ଥ ଦିଆଯିବ ବୋଲି କୁହାଯାଇଛି। ଜଙ୍ଗଲରେ କାମ କଲେ ଅସୁବିଧା ହେବ ଓ କଷ୍ଟ କରିବାକୁ ପଡିବ ଓ ଆନ୍ଦୋଳନକାରୀଙ୍କ ସହ କଥା ହେବା ଓ ବୁଝାଇବା ବୋଲି କହିଲେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ। ହାତୀ ମଣିଷ ଲଢେଇକୁ ନେଇ ସରକାର ଅନ୍ତର୍ଜାତୀୟ ସମ୍ମିଳନୀ କରୁଛନ୍ତି ଓ ବହୁ ଯୋଜନା ଘୋଷଣା କରୁଛନ୍ତି। କିନ୍ତୁ ଯେଉଁମାନେ ତୃଣମୂଳ ସ୍ତରରେ ଏହି ଲଢେଇରେ ସୈନିକ ହୋଇ ଛିଡା ହୋଇଛନ୍ତି ସେମାନଙ୍କ ଅବସ୍ଥା ଆଜି ଦୟନୀୟ ହୋଇଛି। ଯାହାକୁ ନେଇ ଅସନ୍ତୋଷ ବ୍ୟାପକ ହୋଇଛି।