କେବଳ ଜଙ୍ଗଲରେ ନୁହେଁ, ଉନ୍ନତ ମାନର ଚାଷ ପାଇଁ ନଡ଼ାରେ ନିଆଁ ଲଗାଇ ଦେଉଛନ୍ତି ଚାଷୀ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଜଙ୍ଗଲ ନିଆଁ ପ୍ରସଙ୍ଗ । ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ସାଟେଲାଇଟ ଚିତ୍ର କହୁଛି, କେବଳ ଜଙ୍ଗଲରେ ନିଆଁ ଲାଗୁନି, ଅନେକ ସ୍ଥାନରେ ଚାଷୀମାନେ ଉନ୍ନତ ମାନର ଚାଷ କରିବା ପାଇଁ  ଧାନ କାଟିବା ପରେ ବିଲରେ ବଳକା ନଡ଼ାରେ ନିଆଁ ଲଗାଇ ଦେଉଛନ୍ତି । ଆଧୁନିକ ଜ୍ଞାନକୌଶଳରେ ନିଆଁକୁ ଆୟତ୍ତ କରାଯାଉଛି । ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବନ ସୁରକ୍ଷା ସମିତିର ସହଯୋଗ ନିଆଯାଉଛି ।

ଗତକାଲି ମୁଖ୍ୟ ଶାସନ ସଚିବ ବୈଠକ କରିଥିଲେ । ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଜଙ୍ଗଲରେ ବୁଲାବୁଲି କରୁଥିବା ସନ୍ଦିଗ୍ଧ ଲୋକଙ୍କ ଉପରେ ନଜର ରଖାଯାଇଥିବା ମନ୍ତ୍ରୀ କହିଛନ୍ତି । ଏହାସହ ଖରା ଦିନେ ଜଳକଷ୍ଟ ଦୂର ପାଇଁ ଆବଶ୍ୟକ ସ୍ଥଳେ ବଜେଟ ବାହାରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଅନୁମତି ଦିଆଯାଇଛି । ପାଇପ ଯୋଗେ ପାନୀୟ ଜଳ ପହଞ୍ଚି ନଥିବା ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ବ୍ୟବସ୍ଥା କରାଯାଇଛି।