ବନ ବିଭାଗ ସ୍କାନରରେ ଗୋଠଛଡ଼ା ଦନ୍ତା

ନନ୍ଦିଘୋଷ ବ୍ୟୁରୋ: ବନ ବିଭାଗ ସ୍କାନରରେ ରାଜ୍ୟର ଲୋନଲି ଟସ୍କର ବା ଗୋଠଛଡ଼ା ଦନ୍ତା । ରାଜ୍ୟରେ ଥିବା ୩୦୦ରୁ ଅଧିକ ଦନ୍ତାହାତୀ ମଧ୍ୟରୁ ୧୨ ଟସ୍କର ବା ଏକୁଟିଆ ଦନ୍ତା ଠାବ ହୋଇଛନ୍ତି । ଦନ୍ତା ହାତୀଙ୍କ ପ୍ରୋଫାଇଲିଂରୁ ସେମାନଙ୍କୁ ଚିହ୍ନଟ କରାଯାଇଛି । ରାଉରକେଲା, ବାରିପଦା, ଭୁବନେଶ୍ଵର ଓ ଅନୁଗୁଳ ଭଳି ୪ଟି ସର୍କଲରେ ଏଭଳି ୩ଟି ଲେଖାଏଁ ଦନ୍ତା ହାତୀ ଚିହ୍ନଟ ହୋଇଛନ୍ତି । ଯେଉଁଗୁଡ଼ିକ ମଣିଷ ପାଇଁ ବିପଦପୂର୍ଣ୍ଣ ତଥା ବାରମ୍ବାର ଜନବସତି ମୁହାଁ ହୋଇ ଘର ଭାଙ୍ଗୁଛନ୍ତି । ସେଗୁଡ଼ିକୁ ଟ୍ରାଙ୍କୁଲାଇଜ କରି ରେଡ଼ିଓକଲାର ଲଗାଇ ବିଭିନ୍ନ ଅଭୟାରଣ୍ୟରେ ଛଡ଼ାଯିବ । ଯଦି ସେଥିରେ ସେମାନଙ୍କ ବ୍ୟବହାର ସୁଧାର ନଆସିଲା, ସେଗୁଡ଼ିକୁ ହାତୀ ସୁଧାର କେନ୍ଦ୍ରରେ ରଖି ସେମାନଙ୍କ ବ୍ୟବହାରରେ ସୁଧାର ଅଣାଯିବା ସହ ଜଙ୍ଗଲ ବିଭାଗର କାର୍ଯ୍ୟରେ ବ୍ୟବହାର କରାଯିବ । ଚନ୍ଦକାର ଦୁଇଟି ଓ ଖୋର୍ଦ୍ଧା ଚନ୍ଦକାରେ ବୁଲୁଥିବା ମାଖନାକୁ ଟ୍ରାଙ୍କୁଲାଇଜ କରିବାକୁ ଅନୁମତି ଦିଆସରିଛି । ଏମାନଙ୍କୁ ଶୀଘ୍ର ଚନ୍ଦକାର ହାତୀ ସୁଧାର କେନ୍ଦ୍ରକୁ ନିଆଯାଇଥିବା କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । ସେହିପରି ଅନ୍ୟ ୯ଟି ହାତୀ କେତେ ଘର ଭାଙ୍ଗିଛନ୍ତି ଓ ଲୋକଙ୍କ ଜୀବନ ନେଇଛନ୍ତି, ତାହାର ରିପୋର୍ଟ ଡିଏଫଓମାନଙ୍କୁ ମଗାଯାଇଛି ବୋଲି କହିଛନ୍ତି ବନ୍ଯପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।