୨ ଶିକାରୀ ଗିରଫ, ମୃତ ବାରହା ଜବତ

ଚିଲିକା: ୨ ଜଣ ବାରହା ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ପଦ୍ମପୁର ସେକ୍ସନ ଷଣ୍ଢା ଡ଼ିପିଏଫରୁ କିଛି ଦୁର୍ବୁତ୍ତ ବାରହାକୁ ଶିକାର କରିଥିବା ଖବର ମିଳିଥିଲା । ଖବର ପାଇ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ତୁରନ୍ତ ଏକ ଟିମ୍ ଧରି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ମୃତ ବାରହାକୁ ଜବତ କରିବା ସହ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି ।
ଗିରଫ ଅଭିଯୁକ୍ତ ହେଲେ ବାଣପୁର ଥାନା ଅଞ୍ଚଳର ରଞ୍ଜନ ନାୟକ ଏବଂ ପ୍ରକାଶ ନାୟକ । ଘଟଣାସ୍ଥଳରୁ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି । ଏନେଇ ବନ ବିଭାଗ ବନ୍ୟ ପ୍ରାଣୀ ଅପରାଧ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।