ଲକଡାଉନ୍ ନିୟମ ଉଲ୍ଲଂଘନ କଲେ ବିଦେଶୀ, ୫୦୦ଥର ଲେଖିଲେ ସରି…

1 min read

ଋଷିକେଶ: ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଭଳି ସାଂଘାତିକ ସ୍ଥିତି ପାଇଁ ଦେଶରେ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ହେଲେ ତଥାପି କିଛି ଲୋକେ ଏହି ନିୟମ ପାଳନ କରୁନାହାନ୍ତି । ନିକଟରେ ଠିକ୍ ଏମିତି ଏକ ଖବର ସାମ୍ନାକୁ ଆସିଛି । ତୀର୍ଥନଗରୀ ଋଷିକେଶରେ ରହୁଥିବା ଅନେକ ବିଦେଶୀ ନାଗରିକ ଲକଡାଉନ୍ ନିୟମକୁ ଗମ୍ଭୀରତା ସହ ନେଇନାହାନ୍ତି । ଏଭଳି ପରିସ୍ଥିତିରେ ପୋଲିସ ଏହି ଲୋକମାନଙ୍କୁ ଉଚିତ୍ ଶିକ୍ଷା ଦେଇଛି । ତପୋୱନର ଗଙ୍ଗା ଘାଟରେ ୧୦ ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ବୁଲିବାର ଦେଖିବାକୁ ମିଳିଥିଲା, ଯେଉଁମାନେ ନିୟମ କଠୋର ହୋଇ ନଥିବାର ଫାଇଦା ଉଠାଇଥିଲେ ।

ସୂଚନାଯୋଗ୍ୟ ଯେ, ଗଙ୍ଗା ଘାଟକୁ ଯାଇ ଏହି ୧୦ ଜଣ ବୁଲାବୁଲି କରିଥିଲେ । ଏହା ପରେ ଦାୟିତ୍ୱରେ ଥିବା ପୋଲିସ ସେମାନଙ୍କୁ ବୁଝାଇବା ଉଦ୍ଦେଶ୍ୟରେ ଏକ ନିଆରା ଦଣ୍ଡ ଦେଇଥିଲା । ପୋଲିସ ସେମାନଙ୍କୁ – ମୋତେ କ୍ଷମା କର… (I did not follow the lockdown. I am so sorry) ୫୦୦ ଥର ଲେଖିବାକୁ କହିଥିଲେ । ଭବିଷ୍ୟତରେ ସେମାନେ ଏପରି ଭୁଲ୍ କରିବେ ନାହିଁ ବୋଲି ଆଶା କରି ପୋଲିସ ତାଙ୍କୁ ଏହି ଦଣ୍ଡ ଦେଇଥିଲା ।

ତେବେ, ତୀର୍ଥନଗରୀରେ ସକାଳ ୭ଟାରୁ ୧ଟା ପର୍ଯ୍ୟନ୍ତ ନିୟମ କୋହଳ ରହେ । ଯଦି କୌଣସି ବ୍ୟକ୍ତି ଜରୁରୀ ଜିନିଷ କିଣିବାକୁ ଚାହେଁ ତାହେଲେ ସେ ଏହି ସମୟ ମଧ୍ୟରେ କିଣିପାରିବେ । ହେଲେ ବିଦେଶୀମାନେ ଏହି ସମୟର ଫାଇଦା ଉଠାଇ ବୁଲାବୁଲି କରିବାକୁ ଯାଇଥିଲେ । ସାମଗ୍ରୀ କିଣିବା ବାହାନା କରି ଗଙ୍ଗା କୂଳରେ ବୁଲିବାକୁ ଯାଇଥିଲେ । କିଏ ଗଙ୍ଗାରେ ବୁଡ଼ ପକାଉଥିଲେ ତ କିଏ ବୁଲୁଥିଲେ । ବିଦେଶୀଙ୍କର ଏହି କାରନାମା ଜାଣିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଏହି ଦଣ୍ଡ ଦେଇଥିଲା ।

ଲକଡାଉନ୍ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଦେଶର କୋଣ ପ୍ରତିକୋଣରେ ଦଣ୍ଡ ଦିଆଯାଉଛି । କେଉଁଠି ମାଡ଼ ହେଉଛି ତ କିଏ ଫାଇନ୍ ଦେଉଛି । ତଥାପି କିଛି ଲୋକେ ବୁଲିବା ବନ୍ଦ କରୁନାହାନ୍ତି । ଦେଶରେ କରୋନାଭାଇରସ ଯୋଗୁଁ ମୃତ୍ୟୁ ସଂଖ୍ୟା ୨୩୯ ରେ ପହଞ୍ଚିଛି ଏବଂ ସଂକ୍ରମିତଙ୍କ ସଂଖ୍ୟା ୭,୪୭୭ରେ ପହଞ୍ଚିଛି । ଯେଉଁଥିପାଇଁ ଲୋକେ ସତର୍କ ରହିବା ଜରୁରୀ । ଘରେ ରହି ସାମାଜିକ ଦୂରତା ପାଳନ କରି ଏହି ରୋଗର ସଂକ୍ରମଣଠୁ ମୁକ୍ତି ମିଳିବ । ସେଥିପାଇଁ ସମସ୍ତେ ଏହି ବିଷୟକୁ ଗମ୍ଭୀରତା ସହ ନେଇ ଘରେ ରହିବା ଉଚିତ୍ ।

Leave a Reply