ଭାରତରେ ନିର୍ବାଚନ ପର୍ବ: ଅନୁଭୂତି ସାଉଁଟିବାକୁ ଜମିଲାଣି ବିଦେଶୀଙ୍କ ଭିଡ଼

1 min read

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଦିନ ପରେ ସାରା ଦେଶରେ ୨୦୨୪ ସାଧାରଣ ନିର୍ବାଚନ । ଡାକବାଜି ଯନ୍ତ୍ର, ଲିଫ୍ଲେଟ୍, ପୋଷ୍ଟରରେ ଚାଲିବ ଯୁଦ୍ଧ। ଗଣତନ୍ତ୍ରର ମହାପର୍ବକୁ ଶାନ୍ତିଶୃଙ୍ଖଳା ସହ କରାଇବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ । ଭାରତର ନିର୍ବାଚନ ପର୍ବ ଏବେ ପର୍ଯ୍ୟଟନର ନୂଆ ସମ୍ଭାର ଖୋଲିଛି । ବିଦେଶୀ ପର୍ଯ୍ୟଟକ ଓ ଗଣମାଧ୍ୟମ ନିର୍ବାଚନ ପର୍ବର ଅନୁଭୂତି ସାଉଁଟିବାକୁ ତୟାର । ଅନ୍ଯପଟେ ପ୍ରଥମଥର ପାଇଁ ମତଦାତା ଲିଷ୍ଟରେ ନାମ ଚଢିଥିବା ଯୁବ ଭୋଟରଙ୍କ ଭିତରେ ଭରିଛି ଉତ୍ସାହ ।

ମାଇକ୍ ସାଉଣ୍ଡ, ମୋଟର ରାଲି, ମାଳମାଳ ପ୍ରଚାର ଗାଡ଼ି, ଷ୍ଟାର ପ୍ରଚାରକଙ୍କ ରଡ଼ି । ପ୍ରତିଶ୍ରୁତି, ଆକ୍ଷେପ, ପ୍ରତି ଆକ୍ଷେପ । ଶାସକ-ବିରୋଧୀଙ୍କ ନାରାରେ କମ୍ପିବ ଗଳି, ମହଲା ଓ ସହର । ଆଉ କିଛି ଦିନ ପରେ ଦେଶରେ ଅନୁଷ୍ଠିତ ହେବ ୨୦୨୪ ସାଧାରଣ ନିର୍ବାଚନ । ଭାରତୀୟ ଗଣତନ୍ତ୍ରର ମହାପର୍ବ ଆଣିବ ପର୍ଯ୍ୟଟନର ନୂଆ ସମ୍ଭାର ନିର୍ବାଚନୀ ପର୍ଯ୍ୟଟନ । ଯାହାକୁ ଅନାଇ ରହିଛି ସାରା ବିଶ୍ବ । ବିବିଧତା ଭିତରେ ଏକତା । ଇଭିଏମ୍-ଭିଭିପାଟରେ ନିଜ ମତାଧିକାର ସାବ୍ଯସ୍ତ କରିନ୍ତି ମତାଦାତା । ଚଳିତବର୍ଷ ପ୍ରଥମକରି ମତଦାନ କରିବାକୁ ଥିବା ଯୁବ ଭୋଟରଙ୍କ ଭିତରେ ସେଥିପାଇଁ ଉତ୍ସାହ ଜୋରଦାର । ଏହି ମହାନ୍ ପର୍ବକୁ ଦେଖିବାକୁ ଛୁଟି ଆସନ୍ତି ବିଦେଶୀ ପର୍ଯ୍ୟଟକ । ୨୦୧୨ରେ ନିର୍ବାଚନୀ ପର୍ଯ୍ୟଟନ ପ୍ରଥମ କରି ଗୁଜୁରାଟରେ ଆରମ୍ଭ ହୋଇଥିଲା । ୨୦୧୪ରେ ସାଧାରଣ ନିର୍ବାଚନ ଦେଖିବାକୁ ଜାପାନ, ୟୁନାଇଟେଡ୍ ଆରବ ଏମିରେଟ୍ସ୍, ଆମେରିକା ଓ ୟୁରୋପରୁ ୧୮୦୦ ପର୍ଯ୍ୟଟକ ଗୁଜୁରାଟ ଆସିଥିଲେ । ୨୦୧୯ ନିର୍ବାଚନର ଅନୁଭୂତି ସାଉଁଟିବାକୁ ଭାରତକୁ ଆସିଥିଲେ ପ୍ରାୟ ୫୦ ହଜାର ବିଦେଶୀ ପର୍ଯ୍ୟଟକ, ଗଣମାଧ୍ୟମ ପ୍ରତିନିଧି ।

ନିର୍ବାଚନ ସମୟରେ ଶାସକ ଦଳ ଓ ବିରୋଧୀଙ୍କ ଭିତରେ ଆକ୍ଷେପ ଓ ପ୍ରତିଆକ୍ଷେପ ଜୋର ଧରେ । ଆଗରୁ ନିର୍ବାଚନ ସମୟରେ ନେତାଙ୍କ ପ୍ରତିଶ୍ରୁତି ମିଳୁଥିଲା । ଓଡ଼ିଶାରେ ଏହା ଅତୀତ ହୋଇଛି । ଯେବେଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଶାସନ ଭାର ହାତକୁ ନେଇଛନ୍ତି ସେବେଠୁ ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଲୋକଙ୍କୁ ଗୁଡ୍ ଗଭର୍ଣ୍ଣାନ୍ସ ଦେଇ ଆସିଛନ୍ତି । ନିର୍ବାଚନ ସମୟରେ ଅନ୍ୟ ରାଜ୍ୟରେ ହିଂସାତ୍ମକ ଘଟଣା ସାମନାକୁ ଆସିଥାଏ । କିନ୍ତୁ ଓଡ଼ିଶାରେ ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ପରିଚାଳନା ହୋଇଆସୁଛି । ଓଡ଼ିଶାରେ ନିର୍ବାଚନ ପ୍ରକ୍ରିୟା ଦେଖିବାକୁ ଛୁଟି ଆସନ୍ତି ବିଦେଶୀ ପର୍ଯ୍ୟଟକଙ୍କ ସମେତ ସ୍କୁଲ ଓ ବିଶ୍ବବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ । ନିର୍ବାଚନ ଆଚରଣ ବିଧି ଅବଧିରେ ଦେଖିବାକୁ ମିଳେନି କୌଣସି ନୂଆ ଯୋଜନା କି ପ୍ରତିଶ୍ରୁତି । ଏହି ସମୟରେ ଜନପ୍ରତିନିଧି ବ୍ୟବସ୍ଥା ବଦଳରେ ସୁପ୍ରିମ୍ ଭୂମିକାରେ ଥାଏ କାର୍ଯ୍ୟପାଳିକା । ଯାହାକି ବିଶ୍ବରେ ବିରଳ ।