ଓଡ଼ିଶା ମାଟିରେ ବିଦେଶୀ ଫଳ, କଳାହାଣ୍ଡିରେ ଫଳୁଛି ଡ୍ରାଗନ୍ ଫଳ

କଳାହାଣ୍ଡି: ବିକଳ୍ପ ଚାଷ ବାଛୁଛନ୍ତି ଓଡ଼ିଶା ଚାଷୀ । ପାରମ୍ପରିକ ଧାନ ଓ ପରିବା ଚାଷ ବଦଳରେ କରୁଛନ୍ତି ଦାମିକା ଫଳଚାଷ । ଏଭଳି ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଏମ ରାମପୁର ବ୍ଲକ୍ ବାଙ୍କେଲ୍ ଗାଁରେ । ପାରମ୍ପରିକ ଚାଷକୁ ଛାଡି ଡ୍ରାଗନ୍ ଫଳ ଚାଷ କରିଛନ୍ତି ବୈଷ୍ଣବ ସାହୁ । ବିଦେଶରେ ଡ୍ରାଗନର ବେଶ୍‌ ଚାହିଦା ରହିଛି । ବଜାରରେ କେଜିପ୍ରତି ୫ଶହ ଟଙ୍କା ଦରରେ ଏହା ବିକ୍ରି ହୋଇଥାଏ । ଏହା ଦେଖିବାକୁ ଲାଲ୍ ରଙ୍ଗର  । ଏହାର ଆକାର କିଛିଟା ସପୁରୀ ଓ ପଣସ ପରି । ଭାରତରେ ଏହି ଚାଷ କରିବାରେ ଓଡିଶା ହେଉଛି ୪ନମ୍ବର ।ଏହା ପୂର୍ବରୁ ଛତିଶଗଡ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଡ୍ରାଗନ ଚାଷ କରାଯାଉଛି । ତେବେ ବୈଷ୍ଣବ ଓଡିଶାରେ ଏହି ଚାଷ କରି ବେଶ୍ ଲାଭବାନ୍ ହେଉଛନ୍ତି ।

ମାଟ୍ରିକ୍ ପଢିବାପରେ ବୈଷ୍ଣବ ପନିପରିବା ଚାଷ ଆରମ୍ଭ କରିଥିଲେ । ଇସ୍କନ୍ ଭକ୍ତ ବୈଷ୍ଣବ ତାଙ୍କ ବାପାଙ୍କ ସହ ଦ୍ବାରକା ବୁଲିଯାଇଥିବା ବେଳେ ସେଠାରେ ଡ୍ରାଗନ୍ ଚାଷ ସମ୍ବନ୍ଧରେ ଜାଣିବାକୁ ପାଇଥିଲେ । ସେଠାରେ ୨ବର୍ଷ ରହି ଏହି ଚାଷ ସମ୍ବଦ୍ଧରେ ତାଲିମ୍ ନେଇଥିଲେ ବୈଷ୍ଣବ । ୨୦୧୮ ମସିହାରେ ଗୋଟା ପିଛା ଶହେ ଟଙ୍କା ଦରରେ ହଜାରେ ଚାରା ଆଣି ନିଜର ୨୦ ଡେସିମିଲ୍ ଜମିରେ ସିମେଣ୍ଟ ପିଲର କରି ଡ୍ରିପ୍ ପ୍ରଣାଳିରେ ଆରମ୍ଭ କରିଥିଲେ ଡ୍ରାଗନ୍ ଚାଷ । ପ୍ରଥମ ୨ବର୍ଷ ଆଶାନୁରୂପ ଫଳ  ଫଳି ନଥିବାବେଳେ ଏବେ ପ୍ରତି ଗଛରେ ଦୁଇ କେଜିରୁ ଅଧିକ ଫଳ ହେଉଛି । ଦିନକୁ ଦିନ ଯୁବପିଢି ଚାଷରୁ ମୁହଁ ଫେରାଉଥିବାବେଳେ ବୈଷ୍ଣବଙ୍କ ଡ୍ରାଗନ ଚାଷ ଯୁବପିଢି ପ୍ରତି ଏକ ପ୍ରେରଣା ପାଲଟିଛି ।

Leave a Reply