କୋଡିଏ ଟଙ୍କା ପାଇଁ ଜନ୍ମ କଲା ଝିଅକୁ ପିଟି ପିଟି ଦରମରା କରିଲା ବାପା

ନନ୍ଦିଘୋଷ ବ୍ୟୁରୋ : କୋଡିଏ ଟଙ୍କା ପାଇଁ ନିଜର ଜନ୍ମ କଲା ଝିଅକୁ ବାପାର ନିସ୍ତୁକ ମାଡ଼ । ଘରର କବାଟ ବନ୍ଦ କରି ରସିରେ ବାନ୍ଧି ପିଟି ପିଟି ଅଧାମରା କରିଦେଲା ବାପା । ବିକଳରେ ଘରର କବାଟ ଖୋଲି ବାହାରକୁ ଦୌଡ଼ି ପଳାଇ ଆସିଥିଲା ୧୦ ବର୍ଷ ଝିଅ ଖୁସି । ଏହିଭଳି ଏକ ହୃହୟ ବିଦାରକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡ଼ା ପଞ୍ଚାୟତ ଜଗନ୍ନାଥପୁର ଗାଁରେ ।

ବାପା ପୂର୍ଣ୍ଣ ବେହେରା ଝିଅ ଖୁସିକୁ ୧୨୦ ଟଙ୍କା ଦେଇ କିରାନା ଦୋକାନକୁ ରାସନ ସାମଗ୍ରୀ କିଣିବାକୁ ପଠାଇଥିଲେ । ଜିନିଷ କିଣିବା ପରେ ବଳକା ୨୦ ଟଙ୍କା ଖର୍ଚ୍ଚ କରିଦେଇଥିଲା ଏବଂ ଘରକୁ ଫେରିବାରେ ବିଳମ୍ବ କରିଥିଲା ଖୁସି । ଏହାକୁ ନେଇ ବାପା ପୂର୍ଣ୍ଣ ବେହେରା ଝିଅ ଖୁସୀକୁ ରସିରେ ବାନ୍ଧି ନିସ୍ତୁକ ପିଟିଥିଲେ । ଖୁସିର ପାଦଠାରୁ ମୁହଁ ପର୍ଯ୍ୟନ୍ତ ମାଡ଼ର ଚିହ୍ନ ରହିଛି । ନିସ୍ତୁକ ମାଡ଼ରେ ନାବାଳିକା ଜଣକ ଚାଲିପାରୁନଥିବା ବେଳେ ଠିକସେ କଥା କହିପାରୁନାହିଁ । ନାବାଳିକା ଜଣକ ଜୀବନ ବିକଳରେ ଘରୁ ପଳାଇ ଆସି ଜରିପଡ଼ା ଖମାର ସାହିରେ ବସି କାନ୍ଦୁଥିବା ସମୟରେ ଲୋକେ ନାବାଳିକାକୁ ଉଦ୍ଧାର କରି ଟାଙ୍ଗୀ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ନାବାଳିକାକୁ ଚିକିତ୍ସା ପାଇଁ ମେଡିକାଲ ପଠାଇ ତଦନ୍ତ ଆରମ୍ଭ କରିଛି ।