ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ତାରକା ପ୍ରଚାର କମିଟିର ମଙ୍ଗ ଧରିବେ କଳ୍ପନା

ରାଞ୍ଜି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ପ୍ରସ୍ତୁତ ରଣଭୂମି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ତାରକା ପ୍ରଚାର କମିଟିରେ ସାମିଲ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା । ହିନ୍ଦୀ ଓ ଇଂରାଜୀରେ ଅନର୍ଗଳ କହିପାରୁଥିବା କଳ୍ପନା ଏବେ ଝାଡଖଣ୍ଡରେ ମହିଳା ଭୋଟରଙ୍କ ଲାଗି  କ୍ରେଜ ସାଜିଛନ୍ତି । ୧୯୮୫ ମାର୍ଚ୍ଚରେ ଜନ୍ମିତ କଳ୍ପନା ଏମବିଏ ଓ ଇଞ୍ଜିନିୟିରିଂ ଡିଗ୍ରୀ କରିଛନ୍ତି । ଗତ ଜାନୁଆରୀରେ ଜମି ଦୁର୍ନୀତି ମାମଲାରେ ହେମନ୍ତ ଜେଲ ଯିବା ପରେ ଦଳର ମଙ୍ଗ ଧରିଥିଲେ କଳ୍ପନା । ତାଙ୍କ ନେତୃତ୍ବରେ ବି ଲୋକସଭା ନିର୍ବାଚନ ଲଢିଥିଲା ଦଳ । ଏପରିକି ଗନ୍ଦେ ବିଧାନସଭା ଉପନିର୍ବାଚନରେ ସେ ୨୬ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ସରଫରାଜ ଅହମ୍ମଦ ରାଜ୍ଯସଭାକୁ ଯିବା ପରେ ଏହି ଆସନ ଖାଲିପଡିଥିଲା । ଜଣେ ମିଷ୍ଟଭାଷୀ ନେତ୍ରୀ ଭାବେ ପରିଚିତ କଳ୍ପନା ମଇୟା ସମ୍ମାନ ଯାତ୍ରା ବେଳେ ସାରା ରାଜ୍ଯ ଗସ୍ତ କରି ୭୦ରୁ  ଅଧିକ ସ୍ଥାନରେ ଭାଷଣ ଦେଇଥିଲେ । ଏହି ଯୋଜନା ଜରିଆରେ ୪୫ ଲକ୍ଷ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ପ୍ରଚାର ସମୟରେ ସେ ମହିଳା ସମୁଦାୟ ଲାଗି ଆଇକନ ସାଜିଥିଲେ । ରାଜ୍ଯରେ ୨ କୋଟି ୬୦ ଲକ୍ଷ ଭୋଟରଙ୍କ ମଧ୍ଯରୁ ମହିଳା ଭୋଟରଙ୍କ ସଂଖ୍ଯା ୧ କୋଟି ୨୯ ଲକ୍ଷ । ଚଳିତ ବିଧାନସଭା ନିର୍ବାଚନରେ ବି କଳ୍ପନା ୭୦ରୁ ଅଧିକ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ନଭେମ୍ବର ୧୩ ଓ ୨୦ରେ ଝାଡଖଣ୍ଡରେ ଦୁଇ ପର୍ଯ୍ୟାୟରେ ନିର୍ବାଚନ ହେବ । ନଭେମ୍ବର ୨୩ରେ ଆସିବ ଫଳ ।