ଆରପାରିରେ ଫୁଟବଲ ତାରକା ପେଲେ, କର୍କଟରେ ପୀଡିତ ଥିଲେ

1 min read

ନନ୍ଦିଘୋଷ ବ୍ୟୁରୋ: ଆଉନାହାନ୍ତି ଫୁଟବଲ ତାରକା ପେଲେ । ୮୨ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ପେଲେ । ବିଶ୍ବର ଏହି କିମ୍ବଦନ୍ତୀ ଫୁଟବଲ ଖେଳାଳି ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ। ଗତ ନଭେମ୍ବର ୨୯ ତାରିଖରେ ପେଲେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗୁରୁବାର ଦିନ ତାଙ୍କ ଶରୀର ଆଉ କେମୋଥେରୋପି ଗ୍ରହଣ ନକରିବାରୁ ତାଙ୍କ ମୃତ୍ୟୁ ଘଟିଥିଲା ।

ପେଲେ ନାମରେ ପରିଚିତ ଏଡସନ୍ ଅରାଣ୍ଟେସ୍ ଡୁ ନାସ୍କିମେଣ୍ଟୋ ହେଉଛନ୍ତି ବିଶ୍ବର ଏକମାତ୍ର ଖେଳାଳି ଯିଏକି ତିନି ଥର ଫିଫା ବିଶ୍ବକପ୍ ଜିତିବାର ଗୌରବ ହାସଲ କରିଛନ୍ତି। ଗତ ଫିଫା ବିଶ୍ବକପ୍ ବେଳେ ସେ ଶଯ୍ୟାଶାଯୀ ଥାଇ ବ୍ରାଜିଲ ଟିମ୍କୁ ଉତ୍ସାହିତ କରିଥିଲେ। ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରୀଡ଼ା ଜୀବନ ଆରମ୍ଭ କରିଥିଲେ ପେଲେ ।

ସେ ୯୨ ମ୍ୟାଚରେ ୭୭ ଗୋଲ୍ ଦେଇ ସର୍ବକାଳୀନ ଗୋଲ୍ ସ୍କୋରର୍ ହେବାର ଗୌରବ ଅର୍ଜନ କରିଥିଲେ। ୧୯୫୮, ୧୯୬୨ ଓ ୧୯୭୦ରେ ବ୍ରାଜିଲର ବିଜୟ ମୂଳରେ ସେ ଗ୍ରହଣ କରିଥିଲେ ପ୍ରମୁଖ ଭୂମିକା । ୧୯୫୮ ବିଶ୍ବକପ୍ରେ ସ୍ବିଡେନ୍ ବିପକ୍ଷ ଫାଇନାଲ୍ରେ ଦୁଇଟି ଗୋଲ୍ ଦେବା ସହ ମୋଟ ୬ ଗୋଲ୍ ସ୍କୋର କରିଥିଲେ। ୧୯୬୨ ବିଶ୍ବକପରେ ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୧୯୭୦ ବିଶ୍ବକପ୍ ଫାଇନାଲ୍ରେ ତାଙ୍କ ପ୍ରାରମ୍ଭିକ ଗୋଲରେ ବ୍ରାଜିଲ ୪-୧ରେ ଇଟାଲିକୁ ମାତ୍ ଦେଇଥିଲା। ପେଲେ ୧୯୪୦ ଅକ୍ବୋବର ୨୩ରେ ବ୍ରାଜିଲର ଟ୍ରେସ ଦୋ କୋରକୋସରେ ଜନ୍ମ ଗ୍ରହଣ କରିଥିଲେ ।