ସ୍ଥାନୀୟ ପ୍ରଶାସନର ଅବହେଳାରୁ ଅନେକ ଗରିବଙ୍କ ପେଟରେ ଓଦାକନା

ଗୋଟିଏ ପଟେ ଭୂତାଣୁ ଭୟ, ଅନ୍ୟପଟେ ପେଟରେ ଭୋକ । ସେପଟେ ଲକଡାଉନ୍‌ ପାଇଁ ସୀମାରେ ପଡିଛି ତାଲା । ଅନ୍ୟରାଜ୍ୟର ଅନେକ ଶ୍ରମିକ ରାଜ୍ୟରେ ଲକ୍‌ । ଓଡିଶା ପ୍ରଶାସନର ପରାମର୍ଶକୁ ମାନି ବିଭିନ୍ନ ସ୍କୁଲ ଓ ପଞ୍ଚାୟତରେ କ୍ୱାରେଣ୍ଟାଇନରେ ରହିଛନ୍ତି ଫସିଥିବା ଶ୍ରମିକ । ହେଲେ ସ୍ଥାନୀୟ ପ୍ରଶାସନର ଅବହେଳାରୁ ରାଜ୍ୟ ସରକାରଙ୍କ ସମସ୍ତ ବ୍ୟବସ୍ଥା ପାଲଟିଛି ଦିବାସ୍ୱପ୍ନ । ବାଟବଣା ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଜନା ।

କିଛିଦିନ ଏମାନଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଦିଆଯାଇଥିଲା ରନ୍ଧାଖାଦ୍ୟ । ହେଲେ ଏବେ ସେସବୁ ବନ୍ଦ । ଫଳରେ ଏବେ ଭୋକ ଉପାସରେ ଦିନ କାଟୁଛନ୍ତି ସୁବର୍ଣ୍ଣପୁର ସିଙ୍ଗାରୀ ପପିଲିପାଲି କ୍ୱାରେନଣ୍ଟାଇନ୍‌ ସେଣ୍ଟରରେ ଥିବା ଶ୍ରମିକ । କେବଳ ସୁବର୍ଣ୍ଣପୁର ନୂହେଁ ସୁନ୍ଦରଗଡ ଜିଲ୍ଲାରୁ ଆସିଛି ସମାନ ଅଭିଯୋଗ । ଯୋଜନା ଏଠି ବି ମଝି ବାଟରେ ହରାଇଛି ଦିଗ । ରାଜଗାଙ୍ଗପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବଣ୍ଟାଯାଉଛି ରନ୍ଧା ଖାଦ୍ୟ । ହେଲେ କିଛି ଗରିବ ଖାଦ୍ୟ ପାଉନଥିବା ଅଭିଯୋଗ ହୋଇଛି ।

ସେପଟେ ଗଞ୍ଜାମର ଖଲିକୋଟ୍‌, ତାଳପଡା ଓ ବେଲଗୁଣ୍ଠା ବ୍ଲକର ଅନେକ ଗରିବଙ୍କ ପେଟରେ ଓଦାକନା । ରନ୍ଧା ଖାଦ୍ୟ ନପାଇ ଭୋକରେ ଡହଳବିକଳ ହେଉଛନ୍ତି ଦିନମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକ ।

ଲକଡାଉନ୍‌ ବେଳେ ଗରିବ ଯେମିତି ଭୋକରେ ନରହିବେ ସେନେଇ ସମସ୍ତ ବ୍ୟବସ୍ଥା କରିଛନ୍ତି ସରକାର । ହେଲେ କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନର ଖାମଖିଆଲି ନୀତି ସକାଶେ ଗରିବ ଗୁରୁବା ଜଳକା ହୋଇ ଚାହିଁ ରହିଛନ୍ତି ।

Leave a Reply