ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଜନସାଧାରଣଙ୍କ ପାଖରେ ପହଞ୍ଚିବାର ନିଆରା ପ୍ରୟାସ

1 min read

ଭୁବନେଶ୍ୱର: ଫେବ୍ରୁଆରୀ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ “ମୋ ସରକାର”ରେ ଆନୁଷ୍ଠାନିକଭାବେ ଅର୍ନ୍ତଭୁକ୍ତ କରିଥିଲେ । ବିଭାଗୀୟ ମନ୍ତ୍ରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ସିଧାସଳଖ ସାମାଜିକ ଗଣମାଧ୍ୟମରେ ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି । ଆଜି ଫେସବୁକ୍ ଏବଂ ଟ୍ୱିଟର ଜରିଆରେ ମନ୍ତ୍ରୀ ଲୋକଙ୍କ ବିଭିନ୍ନ ପ୍ରଶ୍ନର ସିଧାସଳଖ ଉତ୍ତର ରଖିବାସହ ସରକାରଙ୍କ ଅନ୍ୟାନ୍ୟ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

ଏହାପୂର୍ବରୁ ଏଥି ନିମନ୍ତେ ଗତ ୧୧ ତାରିଖ ମଧ୍ୟରେ ସାଧାରଣ ଲୋକମାନେ #AskOdishaFoodMinister ହ୍ୟାସଟ୍ୟାଗକୁ ବ୍ୟବହାର କରି ଫେସବୁକ ଏବଂ ଟୁଇଟର ମାଧ୍ୟମରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତର ଆଜି ମନ୍ତ୍ରୀ ଅପରାହ୍ନରେ ସିଧାସଳଖ ଦେଇଛନ୍ତି । ସୀମିତ ସମୟ ହେତୁ ସମସ୍ତ ପ୍ରଶ୍ନ ଗୁଡିକର ଉତ୍ତର ଦେବା ସମ୍ଭବ ହୋଇପାରିନଥିବାରୁ ବଳକା ରହିଯାଇଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ଫେସବୁକ୍ ଏବଂ ଟୁଇଟର ମାଧ୍ୟମରେ ଲୋକଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ଓଡ଼ିଶାରେ ପ୍ରଥମଥର ପାଇଁ ଏହି ବିଭାଗ ପକ୍ଷରୁ କରାଯାଇଥିବା ପ୍ରୟାସ ଲୋକେ ଖୁବ ପସନ୍ଦ କରିଛନ୍ତି । ଏହିସବୁ ପ୍ରଶ୍ନ ଗୁଡ଼ିକ ମଧ୍ୟରେ ଚାଷୀ ମାନଙ୍କଠାରୁ ସରକାରଙ୍କର ଧାନ ସଂଗ୍ରହ ମୁଖ୍ୟ ପ୍ରସଙ୍ଗ ରହିଥିବାବେଳେ ଏହାର ଉତ୍ତରଦେଇ ମନ୍ତ୍ରୀ କହିଛନ୍ତି ଯେ, ଏଥିରେ ଥିବା ସମସ୍ୟାକୁ ଯଥାଶୀଘ୍ର ସମାଧାନ କରାଯିବ । ଏଥିସହ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କ ଉନ୍ନତିକୁ ମୁଖ୍ୟ ପ୍ରାଥମିକତା ପ୍ରଦାନ କରାଯାଇଥିବାବେଳେ ସୁଲଭ ବଣ୍ଟନ ତଥା ଏହାର ବିକାଶ ଦିଗରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଧାନ ସଂଗ୍ରହ କ୍ଷେତ୍ରରେ ପ୍ରକୃତ ଚାଷୀଙ୍କୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଟୋକନ୍ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏତଦ୍ ବ୍ୟତୀତ ଏହିପରି କାର୍ଯ୍ୟକ୍ରମକୁ ଓଡ଼ିଶାର ଜନସାଧାରଣ ବିପୁଳ ସମର୍ଥନ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave a Reply