ସୁଧୁରୁଛି ବନ୍ୟା ସ୍ଥିତି, ୫ ଜିଲ୍ଲାରେ ୧୫ ଦିନ ବଣ୍ଟାଯିବ ରିଲିଫ

ଭୁବନେଶ୍ବର: କମୁଛି ହୀରାକୁଦର ଜଳସ୍ତର। ହୀରାକୁଦରେ ବର୍ତ୍ତମାନ ୬୨୧.୦୨ ଫୁଟ ଜଳସ୍ତର ରହିଛି । ବାମପଟୁ ୧୪, ଦକ୍ଷିଣ ପଟୁ ୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୬ ହଜାର ୬୧୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୫୪ ହଜାର ୬୯୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସେପଟେ ମୁଣ୍ଡଳୀରେ  ୮ ଲକ୍ଷ କ୍ୟୁସେକ ଜଳ ସୀମିତ ରଖିବାକୁ ଲକ୍ଷ୍ୟ ରଖାଯାଇଛି  ।

ମହାନଦୀର ଜଳସ୍ତର ବଢିବା ଆଶଙ୍କା ମଧ୍ୟ କମ୍  । କୌଣସି ନୂଆ ଘାଇ ସୃଷ୍ଟି ହୋଇନାହିଁ  । ମୁଣ୍ଡଳୀରେ ବନ୍ୟା ଜଳ ୯ ଲକ୍ଷ କ୍ୟୁସେକରେ ପହଞ୍ଚିଲେ ଗାଁରୁ ପାଣି ଛାଡ଼ିବ । ବନ୍ୟା ପ୍ରଭାବିତ ଜିଲ୍ଲାରେ ରିଲିଫ ଓ ପୁନଃ ଥଇଥାନ କାର୍ଯ୍ୟକୁ ଜୋରଦାର କରିଛି ପ୍ରଶାସନ। ବନ୍ୟା ପାଇଁ ୧୫୯ ସ୍ବାସ୍ଥ୍ୟ ରିଲିଫ କ୍ୟାମ୍ପ, ୧୧୦ଟି ମୋବାଇଲ ଭ୍ୟାନ ଜରିଆରେ ପ୍ରଭାବିତ ୫ ହଜାର ୫ ଶହ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଛି  ।

ଯେଉଁଥିରେ ୫ ଜଣ ସାପ କାମୁଡ଼ାର ମଧ୍ୟ ଚିକିତ୍ସା କରାଯାଇଛି  । ସେହିପରି ଗୃହ ପାଳିତ ପଶୁଙ୍କ ପାଇଁ ୨୮୫ଟି କ୍ୟାମ୍ପ କରାଯାଇଥିଲା  ।  ୧୦ ହଜାର ପ୍ରାଣୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା  ।  ୫ ଲକ୍ଷ ୧୪ହଜାର ୪୯୯ ଟିକାକରଣ କରାଯାଇଥିଲା  ।  ୭ଟି ଜିଲ୍ଲାରେ ଜିଲ୍ଲାରେ ୨୩୧ ମେଟ୍ରିକ ଟନ ଗୋଖାଦ୍ୟ  ଦିଆଯାଇଛି  ।

ବନ୍ୟା ଯୋଗୁଁ ୨ଲକ୍ଷ  ୭୭ ହଜାର ୯୫୫  ବିଜୁଳି ଗ୍ରାହକ ପ୍ରଭାବିତ ହୋଇଥିବା ବେଳେ  ଏହା ମଧ୍ୟରେ ୨ଲକ୍ଷ ୪୩ ହଜାର ୩୪୬ ଜଣ ଗ୍ରାହକଙ୍କ ଘରକୁ ବିଜୁଳି ସଂଯୋଗ କରାଯାଇଛି  । ପାଣି ଛାଡ଼ିଲେ ଆଉ ୩୪ ହଜାର ଗ୍ରାହକଙ୍କୁ ବିଦ୍ୟୁତ ସଂଯୋଗ କରାଯିବ  ।  ମାଗଣା ଖାଦ୍ୟ ଯୋଗାଣ ସହ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶରେ ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବା କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ୧୫ ଦିନ ରିଲିଫ ଯୋଗାଇ ଦିଆଯିବ  । ସେହିପରି ଅନ୍ୟ ୫ଟି ଜିଲ୍ଲାରେ ୭ ଦିନ ରିଲିଫ ଦିଆଯିବ  ।