ଖାଦ୍ଯ ଯୋଗାଣ ମନ୍ତ୍ରୀଙ୍କୁ ଖାଦ୍ୟ ଆୟୋଗ ଅଧ୍ଯକ୍ଷଙ୍କ ଚ୍ୟାଲେଞ୍ଜ

1 min read

ଭୁବନେଶ୍ବର: ଖାଦ୍ଯ ସୁରକ୍ଷା କମିଶନ ଅଧ୍ଯକ୍ଷ ନିଯୁକ୍ତି ପ୍ରସଙ୍ଗରେ ଖାଦ୍ଯ ଯୋଗାଣ ମନ୍ତ୍ରୀ ଦେଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଖାଦ୍ୟ ଆୟୋଗ ଅଧ୍ଯକ୍ଷ ଅବନୀ ସାହୁ । କହିଛନ୍ତି, ପୂର୍ବ ସରକାର ଦେଇଥିବା ଗାଇଡଲାଇନ ଅନୁଯାୟୀ ଚାକିରି କରିଥିଲି । କାହାକୁ ଠକି କି ଚାକିରି କରିନାହିଁ । ମୋ ନାଁକୁ ନେଇ ବିଧାନସଭାରେ ମନ୍ତ୍ରୀ ଏଭଳି ଚର୍ଚ୍ଚା କରିବା ଲାଗି ଧନ୍ଯବାଦ । ବିଏ ପଢି ଏତେ ବଡ଼ ଚାକିରି କରିବା କଥାକୁ ଧନ୍ୟବାଦ ଜଣାଉଛି ।

ଏହାସହ ହରିୟାଣା, ମହାରାଷ୍ଟ୍ର, ଝାଡଖଣ୍ଡ ଓ ଛତିଶଗଡ଼ରେ ନିଜ ଦଳର ଫୁଡ ଅଫିସର ଅଛନ୍ତି । ସେମାନେ କ’ଣ ପାଠ ପଢ଼ିଛନ୍ତି ସେ ନେଇ ମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି ଅବନୀ ଚ୍ଯାଲେଞ୍ଜ କରିଛନ୍ତି । ପୂର୍ବ ସରକାରରେ ଯଦି ଜାଲିଆତି ହୋଇଛି ତେବେ ଏହାର ତଦନ୍ତ କର । ସବୁ ସତ ସାମ୍ନାକୁ ଆସିଯିବ । ମିଛରେ ବାହାସ୍ଫୋଟ ମାରିଲେ କିଛି ଲାଭ ନାହିଁ । ତଦନ୍ତ କଲେ ସହଯୋଗ କରିବି ।

ଗତକାଲି ପ୍ରଶ୍ନୋତ୍ତର କାଳରେ ଖାଦ୍ଯ ସୁରକ୍ଷା କମିଶନ ଅଧ୍ଯକ୍ଷଙ୍କ ନିଯୁକ୍ତି ନେଇ ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ଆରୋପ ଲଗାଇଥିଲେ । ଯୋଗ୍ୟତା ଥିବା ଲୋକଙ୍କୁ ବାଦ ଦେଇ ପୂର୍ବ ସରକାର ଜଣେ କୋଇଲା ଚୋରକୁ ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ସେ ପାଉଁଶ ପୋଖରୀରେ ପକାଏ । ଯେଉଁ ପଦ ପାଇଁ IFS ମାନେ ଆବେଦନ କରିଥିଲେ, ସେଥିରେ ଜଣେ ବିଏ ପାସ କୋଇଲା ଚୋରକୁ କାହିଁକି ନିଯୁକ୍ତି ଦେଇ ମାସକୁ ୩ ଲକ୍ଷ ଟଙ୍କା ଦିଆଯାଉଥିଲା ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ଆରୋପ ଲଗାଇଥିଲେ ।