spot_img

Latest Posts

ସଚେତନତା ସୃଷ୍ଟି କରିବାରେ ଲୋକକଳା ହେଉଛି ଏକ ପ୍ରଭାବୀ ମାଧ୍ୟମ: 5T ଅଧ୍ୟକ୍ଷ

ଭୁବନେଶ୍ୱର: ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଅନ୍ୟ କୌଣସି ମାଧ୍ୟମରେ ନାହିଁ ବୋଲି 5T  ତଥା ‘ ଆମ ଓଡିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ବ୍ଲକ୍‌ ଓ ଜିଲ୍ଲା ଲୋକକଳା ସଂସ୍କୃତି ସଂଘ ପ୍ରତିନିଧିମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ସେ ଏହା କହିଛନ୍ତି ।

ସଂସ୍କୃତିକୁ ଗତିଶୀଳ କରିବା ନିମନ୍ତେ ଲୋକକଳା ପ୍ରତି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ। ଲୋକକଳା ବଞ୍ଚିବାକୁ ହେଲେ କଳାକାରମାନଙ୍କ ଉନ୍ନତି ହେବା ଉଚିତ ବୋଲି ପାଣ୍ଡିଆନ୍‌ କହିଥିଲେ। ଏଥି ନିମନ୍ତେ ସରକାର ଆସନ୍ତା ୩ରୁ ୪ ମାସ ମଧ୍ୟରେ କଳାକାରମାନଙ୍କୁ ଖୁସି ଖବର ଦେବେ ବୋଲି  ସେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ କଳାପ୍ରେମୀ ହୋଇଥିବାରୁ କଳାକାରମାନଙ୍କ ଉନ୍ନତି ନିମନ୍ତେ ସେ ସର୍ବଦା ଗୁରୁତ୍ୱାରୋପ କରନ୍ତି।

ମିଶନ ଶକ୍ତି ଭଳି କଳାକାର ସଂଘକୁ ସଶକ୍ତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ସଂଘକୁ 5T ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବା ସହ ବ୍ଲକ୍‌ ଏବଂ ଜିଲ୍ଲାସ୍ତରୀୟ ସଂଘ କାର୍ଯ୍ୟାଳୟ ଖୋଲାଯିବ । ଓଡ଼ିଶାକୁ ଆଗେଇ ନେବା ସହ ସଶକ୍ତ ରାଜ୍ୟରେ ପରିଣତ କରିବା ନିମନ୍ତେ ସେ ଆହ୍ୱାନ ଦେଇଛନ୍ତି। ନବୀନ ଓଡ଼ିଶା ଗଠନ ନିମନ୍ତେ କଳାକାରମାନଙ୍କ ଗୁରୁ ଭୂମିକା ଥିବା ସେ କହିଛନ୍ତି।

ଗଞ୍ଜାମରେ ଜିଲ୍ଲାପାଳ ଥିବାବେଳେ ଏକ ଅଭିଜ୍ଞତାକୁ ଭିତ୍ତି କରି ପାଣ୍ଡିଆନ୍‌ କହିଛନ୍ତି ଯେ ପନ୍ଦର ବର୍ଷ ତଳେ ଜିଲ୍ଲାରେ ଏଡସ୍‌ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଥିଲା। ଏଥି ନିମନ୍ତେ ଲୋକକଳାର ଭୂମିକା ପ୍ରଶଂସନୀୟ ଥିଲା ଓ ଦୁଇବର୍ଷ ମଧ୍ୟରେ ଏହାର ସୁଫଳ ମିଳିଥିଲା। ଲୋକକଳାର ପ୍ରଭାବୀ ସଚେତନତା ସରକାରଙ୍କ ବିଭିନ୍ନ ଯୋଜନାର ରୂପରେଖକୁ ତୃଣମୂଳ ସ୍ତରରେ ପହଞ୍ଚାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।  ଲୋକକଳା ମାଧ୍ୟମରେ ସଚେତନତା ସୃଷ୍ଟି ନିମନ୍ତେ କଳାକାରମାନଙ୍କୁ ପରାମର୍ଶ ଦିଆଯିବା ସହ ଏକ ପୁସ୍ତିକା ମଧ୍ୟ ଉନ୍ମୋଚିତ ହୋଇଥିଲା ।

ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ, ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାସ, ମିଶନ ଶକ୍ତି ଯୁଗ୍ମ ଶାସନ ସଚିବ ବିନୋଦ ଜେନା, ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଅତସୀ ଦାସ, ସୁବୋଧ ଆଚାର୍ଯ୍ୟ, ଉପନିର୍ଦ୍ଦେଶିକା ସୁଚିସ୍ମିତା ମନ୍ତ୍ରୀ, ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନର ପରାମର୍ଶଦାତା କୃଷ୍ଣଚନ୍ଦ୍ର ନିଶାଙ୍କ ପ୍ରମୁଖ ଉପସ୍ଥିତ ଥିଲେ।

Latest Posts

Don't Miss