ଏଫଏମ କଲେଜରେ ୟୁଜିସିର ୪ ଜଣିଆ ଟିମ୍

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା । କଲେଜରେ ପହଁଚିଲା ୟୁଜିସିର ୪ ଜଣିଆ ଟିମ୍ । ପ୍ରଫେସର ରାଜକୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୟୁଜିସିର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କଲେଜରେ ପଚରାଉଚରା କରୁଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କଲେଜ ଅଧ୍ୟକ୍ଷଙ୍କ ଚ୍ୟାମ୍ବରରେ ଟିମ୍ ତଦନ୍ତ ଚଲାଇଛି । ଟିମରେ ପ୍ରଫେସର ସୁଷମା ଯାଦବ, ଡକ୍ଟର ନିରଜା ଗୁପ୍ତା ଏବଂ ୟୁଜିସିର ଯୁଗ୍ମ ସଚିବ ଡକ୍ଟର ଅସୀମା ମଙ୍ଗଲା ଅଛନ୍ତି । ଘଟଣାର ପାରିପାର୍ଶ୍ଵିକ ସ୍ଥିତି ଯାଞ୍ଚ କରିବା ସହ କଲେଜରେ ଛାତ୍ରୀ ନିର୍ଯାତନା ସମ୍ପର୍କିତ ତଦନ୍ତ କରୁଛନ୍ତି ।

ସୂଚନାଯୋଗ୍ୟ, ୮ ମାସର ନିର୍ଯାତନାରେ ଅତିଷ୍ଠ ହୋଇ ଛାତ୍ରୀ ଜଣଙ୍କ କଲେଜରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ମେଡିକାଲକୁ ନିଆଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ବର ଏମ୍ସକୁ ନିଆଯାଇଥିଲା । ତେବେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ସକ୍ଷମ ହୋଇ ନଥିଲେ । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି । ଛାତ୍ରୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଅଭିଯୁକ୍ତ ଏଚଓଡି ଏବଂ କଲେଜ ପ୍ରିନ୍ସପାଲଙ୍କୁ ନିଲମ୍ବନ କରାଯାଇଥିଲା । ଏହାପରେ ପ୍ରଥମେ ଏଚଓଡି ଏବଂ ପରେ ପ୍ରିନ୍ସପାଲଙ୍କୁ ଗିରଫ କରାଯାଇଛି ।

ଘଟଣାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଜୋର ଧରିଛି । ୮ ମାସ ଧରି ପିଲାଟି ନିର୍ଯାତିତ ହେବା ସହ ବାରମ୍ବାର ଅଭିଯୋଗ କରି ମଧ୍ୟ କେହି ତାଙ୍କ କଥା ଶୁଣି ନଥିଲେ । ଏପରିକି କଲେଜ ଅଧ୍ୟକ୍ଷ, ଏସପି, ଜିଲ୍ଲାପାଳ ଏପରିକି ସ୍ଥାନୀୟ ବିଜେପି ସାଂସଦଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ପାଇ ନଥିଲେ । ଯାହା ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏପରିକି ଘଟଣାକୁ ନେଇ ବାଲେଶ୍ବର ବନ୍ଦ ସମେତ ଓଡ଼ିଶା ବନ୍ଦ ମଧ୍ୟ ପାଳନ ହୋଇଯାଇଛି । ଯାହାକୁ ସାରା ରାଜ୍ୟରେ ପ୍ରତି ବର୍ଗର ଲୋକେ ସମର୍ଥନ ଜଣାଇଛନ୍ତି ।