ବିମାନରେ ପୁଣି ଯାତ୍ରୀଙ୍କ ଉତ୍ପାତ, ଏମର୍ଜେନ୍ସି ଡୋର ଖୋଲିବାକୁ ଉଦ୍ୟମ ବେଳେ କାବୁ କଲେ ଷ୍ଟାଫ୍

1 min read

ମୁମ୍ବାଇ: ବିମାନରେ ପୁଣି ଯାତ୍ରୀଙ୍କ ଉତ୍ପାତ । ଟଏଲେଟରେ ସିଗାରେଟ ପିଇଲେ । ସହଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ମଧ୍ୟ ଯାତ୍ରୀଜଣଙ୍କ ଦୁର୍ବ୍ୟବହାର କରିଛନ୍ତି । ଲଣ୍ଡନରୁ-ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀଙ୍କର ଏଭଳି କାରନାମା ସାମ୍ନାକୁ ଆସିଛି । ମଝି ଆକାଶରେ ଯାତ୍ରୀ ଜଣଙ୍କ ଶୌଚାଳୟ ଭିତରେ ସିଗାରେଟ ପିଉଥିବା ବେଳେ ଧରାପଡ଼ିଥିଲେ । ସିଗାରେଟ ପିଇବାକୁ ମନା କରିବାରୁ ଯାତ୍ରୀଜଣଙ୍କ କ୍ରୁ ମେମ୍ବରଙ୍କ ସହ ଯୁକ୍ତିତର୍କ କରିବା ପରେ ବନ୍ଧୁକ ଦେଖାଇଥିଲେ । ଏପରିକି କ୍ରୁ ମେମ୍ବରଙ୍କୁ ମାରପିଟ ମଧ୍ୟ କରିଥିଲେ । ପରେ ତାଙ୍କୁ କାବୁ କରାଯାଇ ଏକୁଟିଆ ସିଟରେ ବସାଇ ଦିଆଯାଇଥିବା ବେଳେ ସେ ଏମର୍ଜେନ୍ସି ଗେଟ ଖୋଲିବାକୁ ଉଦ୍ୟମ କରିଥିଲେ ।

ଯାତ୍ରୀମାନେ ଭୟଭୀତ ହୋଇପଡ଼ିବାରୁ ଉତ୍ପାତ କରୁଥିବା ଯାତ୍ରୀଙ୍କ ଗୋଡ଼ ହାତ ବାନ୍ଧି ଦିଆଯାଇଥିଲା । ମୁମ୍ବାଇରେ ବିମାନ ଅବତରଣ କରିବା ପରେ ସମ୍ପୃକ୍ତ ଯାତ୍ରୀଙ୍କୁ ପୋଲିସ ଗିରଫ କରିଛି । ସେ ଭାରତୀୟ ହୋଇଥିବା ବେଳେ ଆମେରିକୀୟ ନାଗରିକତା ଗ୍ରହଣ କରିଥିବା ଜଣାପଡ଼ିଛି ।